ନ୍ୟୁଜ ଡେକ୍ସ : ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ବିଭାଗୀୟ ପ୍ରୋସିଡିଂର ନିଷ୍ପତ୍ତି ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଲେ ସେହି ପ୍ରୋସିଡିଂ ଆପଣାଛାଏଁ ବନ୍ଦ ହୋଇଯିବା ଉଚିତ୍ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଛନ୍ତି। ଏହା ସହ ଏମିତି ଘଟଣାରେ ମୃତ କର୍ମଚାରୀଙ୍କ ପରିବାରକୁ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ମୀନା ମହାନ୍ତିଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ଆଦେଶ ଦେଇଛନ୍ତି। ଆବେଦନକାରିଣୀ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ସ୍ୱାମୀଙ୍କ ବିରୋଧରେ ୨୦୦୩ ମାର୍ଚ୍ଚ ୩୧ରେ ବିଭାଗୀୟ ପ୍ରୋସିଡିଂ ଆରମ୍ଭ ହୋଇଥିଲା। କିନ୍ତୁ ଏହାର ନିଷ୍ପତ୍ତି ଆସିବା ପୂର୍ବରୁ ୨୦୨୦ ସେପ୍ଟେମ୍ବର ୭ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ମଧ୍ୟ ପ୍ରୋସିଡିଂକୁ ବନ୍ଦ କରାଯାଇନଥିବା ସହ ଏହି ଆଳରେ ପରିବାରକୁ ପେନ୍ସନ୍ ଓ ଅନ୍ୟାନ୍ୟ ସୁବିଧା ଦିଆଯାଇନଥିଲା। ରାଜ୍ୟ ସରକାର ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ପ୍ରୋସିଡିଂ ଶେଷ ହେବା ପୂର୍ବରୁ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଉତ୍ତରାଧିକାରୀଙ୍କୁ ଦାୟୀ କରାଯାଇପାରେ।
ତଦନ୍ତ ରିପୋର୍ଟରେ ମୃତ କର୍ମଚାରୀଙ୍କୁ ୪ ଲକ୍ଷ ୬ ହଜାର ୩୫୨ ଟଙ୍କା ହଡ଼ପ ପାଇଁ ଦାୟୀ କରାଯାଇଥିଲା।କିନ୍ତୁ ଅଦାଲତ ଉଭୟପକ୍ଷର ଯୁକ୍ତି ଶୁଣି ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ ଚାଲୁଥିବା ଏପରି ପ୍ରକ୍ରିୟା ଆପଣାଛାଏଁ ବନ୍ଦ ହୋଇଯାଏ ଓ ଏହା ଆଗକୁ ଚାଲି ପାରିବ ନାହିଁ। ତେଣୁ ଏହି ମାମଲାରେ ବିଭାଗୀୟ ପ୍ରୋସିଡିଂକୁ ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ ଘୋଷଣା କରାଯାଇଛି।ଏହା ସହ ମୃତ କର୍ମଚାରୀଙ୍କ ପତ୍ନୀଙ୍କୁ ୪ ମାସ ମଧ୍ୟରେ ସମସ୍ତ ଅବସରକାଳୀନ ସୁବିଧା ଓ ପରିବାର ପେନ୍ସନ୍ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ୧୭ ବର୍ଷ ଧରି ପ୍ରୋସିଡିଂ ଶେଷ ନ ହେବାର କାରଣ ଖୋଜି ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କହାଯାଇଛି।

