Sun. Apr 19th, 2026

ନ୍ୟୁଜ ଡେକ୍ସ : ସିବିଆଇ ଅଫିସର ଭଣି ଚତୁର ଯୋଜନାରେ କୋଟିଏ ଟଙ୍କାର ସୁନା ଲୁଟ ଘଟଣାରେ ବ୍ରହ୍ମପୁର ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ମାମଲାରେ ୩ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୧୪ ଲକ୍ଷ ୮୦ ହଜାର ଟଙ୍କାର ସୁନା ଅଳଙ୍କାର ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ବାଲୋତ୍ରା ଅଞ୍ଚଳର ନରେନ୍ଦ୍ର କୁମାର ଓରଫ ପ୍ରଜାପତି (୨୪), ପୁନମ ଚାନ୍ଦ (୫୫) ଏବଂ ପାଲି ଅଞ୍ଚଳର ଜିତୁ ଚୌଧୁରୀ (୨୮)।

ଏହି ଘଟଣାରେ ଆହୁରି ୫ ଜଣ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।ଜିଆରପି ଏସଡିଆରପିଓ ଜଗନ୍ନାଥ ମାଲିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ଫେବୃଆରୀ ୨୫ ତାରିଖ ରାତି ସାଢ଼େ ୯ଟା ସମୟରେ ବିଶାଖାପାଟଣାର ସୁନା ବ୍ୟବସାୟୀ ହସମୁଖ ଜୈନ ଓ ତାଙ୍କ ସହଯୋଗୀ କୋଣାର୍କ ଏକ୍ସପ୍ରେସରୁ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଥିଲେ। ସେମାନେ ବାଇକ୍ ପାର୍କିଂ ନିକଟକୁ ଯାଉଥିବାବେଳେ ଦୁଇ ଜଣ ଅଜଣା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇ ଅଟକାଇଥିଲେ। ପରେ ବ୍ୟାଗ୍ ଯାଞ୍ଚ କରିବା ନାମରେ ସେମାନେ ବଳପୂର୍ବକ ୩୩ ପ୍ରକାରର ସୁନା ଅଳଙ୍କାର (ଓଜନ ପ୍ରାୟ ୮୬୨ ଗ୍ରାମ), ଦୁଇଟି ମୋବାଇଲ୍ ଫୋନ୍ ଏବଂ ଜରୁରୀ କାଗଜପତ୍ର ଥିବା ବ୍ୟାଗକୁ ଲୁଟି ନେଇ ପଳାଇଥିଲେ।

ପୋଲିସ ତଦନ୍ତ ସମୟରେ ଅଭିଯୁକ୍ତମାନେ ଏହି ଅପରାଧକୁ ସ୍ୱୀକାର କରିଛନ୍ତି। ସେମାନେ ପ୍ରଥମ ଥର ପାଇଁ ଏଭଳି କାମ କରିଥିବା କହିଥିବାବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ୪ ଲକ୍ଷ ଟଙ୍କା ଦେବା ପ୍ରତିଶ୍ରୁତି ଦେଇଥିବାରୁ ଏହି ଅପରାଧ କରିଥିବା କହିଛନ୍ତି।ଘଟଣାରେ ଆହୁରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଥିବାବେଳେ ମାମଲାର ଅଧିକ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *