Sun. Apr 19th, 2026

ନ୍ୟୁଜ ଡେକ୍ସ : ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ପାଇଁ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଅଧିକୃତ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା ସମ୍ପର୍କିତ ସଚେତନତାକୁ ସମଗ୍ର ଦେଶରେ ଆହୁରି ପ୍ରଭାବୀ କରିବା ପାଇଁ ସୁଦର୍ଶନଙ୍କ ନିଯୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ଲୋକମାନଙ୍କୁ ଜନଗଣନାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବେ। ତାଙ୍କ ସୃଜନଶୀଳ ଶିଳ୍ପ ଦ୍ୱାରା ସାମାଜିକ ସନ୍ଦେଶ ପ୍ରଚାର କରିବାରେ ସେ ପୂର୍ବରୁ ବିଶେଷ ସଫଳତା ହାସଲ କରିଥିବାରୁ ଏହି ଦାୟିତ୍ୱରେ ସେ ନୂଆ ମାନକ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି।ସରକାରୀ ସୂତ୍ର ଅନୁସାରେ, ଦେଶର ପରବର୍ତ୍ତୀ ଜନଗଣନା ୨୦୨୭ରୁ ଆରମ୍ଭ ହେବ। ଏହି ଜନଗଣନାରେ ଲୋକମାନଙ୍କ ଜାତି ସହ ସାମାଜିକ ଓ ଆର୍ଥିକ ସ୍ଥିତି ସମ୍ପର୍କିତ ବିବରଣୀକୁ ମଧ୍ୟ ସାମିଲ କରାଯିବ। ଜନଗଣନା ୨୦୨୭ ଦେଶର ରାଜନୀତିକ ଓ ସାମାଜିକ ସଂରଚନାରେ ଏକ ଐତିହାସିକ ପରିବର୍ତ୍ତନ ଆଣିପାରେ ବୋଲି ମନେ କରାଯାଉଛି।

ଏହା ମହିଳା ସଶକ୍ତିକରଣ, ସାମାଜିକ ନ୍ୟାୟ, କ୍ଷେତ୍ରୀୟ ସନ୍ତୁଳନ ଓ ଲୋକତାନ୍ତ୍ରିକ ପ୍ରତିନିଧିତ୍ୱରେ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।ଏହା ସହିତ ୨୦୨୭ ଜନଗଣନାକୁ ଆଧାର କରି ଦେଶରେ ନୂତନ ସୀମା ନିର୍ଦ୍ଧାରଣ କାର୍ଯ୍ୟ ମଧ୍ୟ କରାଯିବ। ଏହାର ପରିଣାମରେ ଲୋକସଭା ଓ ବିଧାନସଭା କ୍ଷେତ୍ରର ସଂଖ୍ୟା, କ୍ଷେତ୍ରଫଳ ଓ ପ୍ରତିନିଧିତ୍ୱରେ ବ୍ୟାପକ ପରିବର୍ତ୍ତନ ଆସିପାରେ।

Leave a Reply

Your email address will not be published. Required fields are marked *