ନ୍ୟୁଜ ଡେକ୍ସ : ଓଡିଶାର କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖୁସୀ ଖବର। ୨୦୨୮ ୱାର୍ଲ୍ଡ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି। ଏନେଇ ଆଥଲେଟିକ୍ସ ଫେଡେରେଶନ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ଇଣ୍ଡୋର କମ୍ପ୍ଲେକ୍ସରେ ଆସନ୍ତା ମାର୍ଚ୍ଚ ୨୪ ଓ ୨୫ରେ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେବ।
ଏହି ପ୍ରତିଯୋଗିତା ଆଗାମୀ ବିଶ୍ୱ ମାନଙ୍କ ଇଭେଣ୍ଟ ପାଇଁ ପ୍ରସ୍ତୁତିକୁ ଆହୁରି ମଜବୁତ କରିବ।ସୂଚନା ଅନୁସାରେ, ଏଏଫଆଇ ପୂର୍ବରୁ ୱାର୍ଲ୍ଡ ଇଣ୍ଡୋର ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିଥିଲା। ଏହାପରେ ଗୁରୁବାର ପୋଲାଣ୍ଡରେ ୱାର୍ଲ୍ଡ ଆଥଲେଟିକ୍ସ କାଉନ୍ସିଲ ଭାରତର ବିଡକୁ ମଞ୍ଜୁର କରିଥିଲା।ଭାରତ ଚତୁର୍ଥ ଏସୀୟ ଦେଶ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି।
ଏହା ପୂର୍ବରୁ ୧୯୯୯ରେ ଜାପାନ, ୨୦୧୦ରେ କାତାର ଓ ୨୦୨୫ରେ ଚୀନ ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିଥିଲେ। ତେବେ ଏପର୍ଯ୍ୟନ୍ତ ଭାରତ ଏହି ମେଗା ଇଭେଣ୍ଟରେ ପଦକ ଜିତି ପାରିନାହିଁ। ୨୦୨୮ରେ ଆୟୋଜକ ଦେଶ ଭାବେ ଭାରତ କିପରି ପ୍ରଦର୍ଶନ କରିବ ଏବଂ ପଦକ ହାସଲ କରିପାରିବ କି ନାହିଁ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।

