ନ୍ୟୁଜ ଡେକ୍ସ : କୋରାପୁଟ ଜିଲ୍ଲାର ନନ୍ଦପୁର ଅଞ୍ଚଳରେ ବିଳମ୍ବିତ ରାତିରେ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା। ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଗୋଟିଏ କାର ଭାରସାମ୍ୟ ହରାଇ ରାସ୍ତା କଡ଼ର ଆମ୍ବ ଗଛକୁ ଧକ୍କା ଦେଇଥିଲା।ସୂଚନା ଅନୁସାରେ, କାରଟି ଦୁଇ ଜଣ ଆରୋହୀଙ୍କୁ ନେଇ ନନ୍ଦପୁରରୁ ପାଡ଼ୁଆ ଦିଗକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ଏବଂ ଆରୋହୀମାନେ ଗାଡ଼ି ଭିତରେ ଅଟକି ରହିଥିଲେ।ଖବର ପାଇ ନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଦୁହେଁକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ।
କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।ମୃତକମାନେ ବାଇଲଗୁଡା ଗାଁର ଲବ ଖରା ଓ ଖୁଡୁବ ଗାଁର ଅନନ୍ତ ପାଙ୍ଗି ବୋଲି ପରିଚୟ ମିଳିଛି।ଘଟଣା ପରେ ନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।

