ନ୍ୟୁଜ ଡେକ୍ସ : ରାଜ୍ୟରେ ଜମି ନେଇ ଶିଳ୍ପ ସ୍ଥାପନ କରୁନଥିବା ସଂସ୍ଥାଗୁଡ଼ିକ ବିରୋଧରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷିତରେ ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେଥିସହିତ ୭ଟି ଶିଳ୍ପ ସଂସ୍ଥାର ଜମି ଆବଣ୍ଟନ ରଦ୍ଦ କରାଯାଇଥିବାବେଳେ ୫ଟି ମାମଲା କୋର୍ଟରେ ବିଚାରାଧୀନ ରହିଛି।
ଅନ୍ୟପଟେ ବନ୍ଦ ହୋଇଥିବା ୯୧୪ଟି ସଂସ୍ଥାରୁ ଇଡ୍କୋ ନିୟମ ଅନୁଯାୟୀ ୬୬୫ଟି ସଂସ୍ଥାକୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ସେଥିମଧ୍ୟରୁ ୨୬୭ଟି ସଂସ୍ଥାର ଜମି ଆବଣ୍ଟନ ରଦ୍ଦ କରାଯାଇଛି। ଏହି ରଦ୍ଦ ମଧ୍ୟରୁ ୮୧ଟି ଶିଳ୍ପ ସଂସ୍ଥା ବିରୋଧରେ ଇୟୁଓ ମାମଲା ମଧ୍ୟ ରହିଛି।ଶୁକ୍ରବାର ବିଧାନସଭାରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ଏହି ସମସ୍ତ ତଥ୍ୟ ରଖିଛନ୍ତି।
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଜମି ଯୋଗାଇ ଦେଉଥିଲେ ମଧ୍ୟ ଅନେକ କମ୍ପାନୀ ଦେବାଳିଆ କିମ୍ବା ଅନ୍ୟ କାରଣରୁ ବନ୍ଦ ହୋଇ ଯାଇଛି ଏବଂ ସେମାନେ ଜମିକୁ ସରକାରଙ୍କୁ ଫେରାଉନଥିବା କଥା ମଧ୍ୟ ସେ କହିଛନ୍ତି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଜମିର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବାକୁ ଏଭଳି କଡ଼ା ପଦକ୍ଷେପ ନେଇଥିବା ସ୍ପଷ୍ଟ ହୋଇଛି।

