ନ୍ୟୁଜ ଡେକ୍ସ : ଓଡ଼ିଶାର ପ୍ରମୁଖ ଗ୍ରୀଷ୍ମକାଳୀନ ଖାଦ୍ୟ ପଖାଳର ଲୋକପ୍ରିୟତାକୁ ଆହୁରି ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସରେ ରାଜ୍ୟସ୍ତରୀୟ ପଖାଳ ପରବ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପଖାଳକୁ କେବଳ ଖାଦ୍ୟ ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ୍ୟ ଅଂଶ ବୋଲି ଉଲ୍ଲେଖ କରିଥିଲେ।ମୁଖ୍ୟମନ୍ତ୍ରୀ ନିଜ ପିଲାଦିନ ସହ ପଖାଳର ସମ୍ପର୍କ କଥା ସେୟାର କରି ଭାବବିହ୍ୱଳ ହୋଇଥିଲେ।
ସେ କହିଥିଲେ ଯେ ପଖାଳ କେବଳ ଗରିବଙ୍କ ଖାଦ୍ୟ ନୁହେଁ, ଏହା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଟଙ୍କ ତୋରାଣି ଓ ପଖାଳ ଭୋଗ ଲାଗି ହେଉଥିବା କଥା ଉଲ୍ଲେଖ କରି ସେ କହିଥିଲେ ଯେ ଏହି ସରଳ ଖାଦ୍ୟ ଆମ ସଂସ୍କୃତିର ପବିତ୍ରତାକୁ ପ୍ରକାଶ କରେ।ପଖାଳର ପୋଷକତା ବିଷୟରେ କଥାହେବା ସମୟରେ ସେ କହିଥିଲେ ଯେ ଏହା ଜିରୋ ୱେଷ୍ଟ ଖାଦ୍ୟ ଓ ଏଥିରେ ଥିବା ପ୍ରୋ-ବାୟୋଟିକ ଗୁଣ ଶରୀର ପାଇଁ ଉପକାରୀ। ବିଶ୍ୱ ପଖାଳ ଦିବସ ଏବେ କେବଳ ଓଡ଼ିଶାରେ ସୀମିତ ନୁହେଁ, ବରଂ ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡ଼ିଆମାନେ ଏହାକୁ ଗର୍ବର ସହିତ ପାଳନ କରୁଥିବା କଥା ସେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇଣ୍ଡୋନେସିଆ, ମାଲେସିଆ, ବାହାରିନ ଓ ସିଙ୍ଗାପୁର ସମେତ ୧୫ଟି ଦେଶର ପ୍ରବାସୀ ଓଡ଼ିଆମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ।
ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରୁଥିବା ସେଫ୍ମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ ପାଇଁ ୮୫୦ କିଲୋଗ୍ରାମ ଚାଉଳରେ ୧୧୭୭ କିଲୋଗ୍ରାମ ପଖାଳ ପ୍ରସ୍ତୁତ କରାଯାଇ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏହି ପଖାଳକୁ ଅବହେଳିତ ସମ୍ପ୍ରଦାୟର ୨୦୦୦ରୁ ଅଧିକ ଲୋକଙ୍କୁ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଅତିଥିମାନେ ଓଡ଼ିଆ ଖାଦ୍ୟ ମେଳା ଦର୍ଶନ କରିଥିଲେ, ଯେଉଁଠାରେ ୩୨୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା।
ପରେ ସମସ୍ତେ ମିଶି ପଖାଳ ଭୋଜନ କରିଥିଲେ।ଏହି ଅବସରରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ, ପ୍ରଭାତୀ ପରିଡା, ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସାଂସଦ ମନମୋହନ ସାମଲ, ବିଧାୟକ ବାବୁ ସିଂହ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସହ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

