ନ୍ୟୁଜ ଡେକ୍ସ : ସହରାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଆଗେଇ ନେବା ପାଇଁ ଓଡ଼ିଶା ସରକାର ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ନୀତି ପ୍ରଣୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ସମ୍ପର୍କରେ ଭୁବନେଶ୍ୱରର ଖାରବେଳ ଭବନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍କୋ ଅଧ୍ୟକ୍ଷା ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ରାଜ୍ୟରେ ପାଇପ୍ଡ ନ୍ୟାଚୁରାଲ୍ ଗ୍ୟାସ୍ ବିତରଣ ବ୍ୟବସ୍ଥାକୁ ବ୍ୟାପକ ଭାବେ ସମ୍ପ୍ରସାରଣ କରିବା ପାଇଁ ଏକ ରଣନୈତିକ ରୋଡମ୍ୟାପ୍ ଉପରେ ଆଲୋଚନା ହୋଇଥିଲା। ଏହା ମାଧ୍ୟମରେ ଦୀର୍ଘକାଳୀନ ବିକାଶକୁ ଦୃଷ୍ଟିରେ ରଖି ନାଗରିକ କେନ୍ଦ୍ରିକ ଏବଂ ଭବିଷ୍ୟତମୁଖୀ ନୀତି ଗଠନ କରିବା ଲକ୍ଷ୍ୟ ରଖାଯାଇଛି।ଉଷା ପାଢ଼ୀ କହିଥିଲେ ଯେ ସହରାଞ୍ଚଳରେ ସିଟି ଗ୍ୟାସ୍ ନେଟୱାର୍କ ବିକାଶ ପାଇଁ ଏକ ଆକାଂକ୍ଷୀ ଓ ବ୍ୟବହାରିକ ନୀତିର ଆବଶ୍ୟକତା ଅଛି। ପ୍ରସ୍ତାବିତ ନୀତି ମାଧ୍ୟମରେ ସ୍ୱଚ୍ଛ, ଦକ୍ଷ ଓ ନିର୍ଭରଯୋଗ୍ୟ ଶକ୍ତିର ଉପଲବ୍ଧତା ବୃଦ୍ଧି ପାଇବ, ଯାହା ସ୍ଥାୟୀ ସହରୀ ବିକାଶକୁ ଗତି ଦେବ।ବୈଠକରେ ଗ୍ୟାସ୍ ସଂଯୋଗ ପାଇଁ ଅନୁମତି ପ୍ରକ୍ରିୟାକୁ ସରଳ କରିବା, ଲାଇସେନ୍ସ ଫିକୁ ଯୁକ୍ତିସଙ୍ଗତ କରିବା, ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ଓ ଡିମ୍ଡ୍ ଆପ୍ରୁଭାଲ୍ ବ୍ୟବସ୍ଥା ଆଦି ଉପରେ ବିଶେଷ ଆଲୋଚନା ହୋଇଥିଲା।
ସେଥିସହିତ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି କରି ସେବା ପ୍ରଦାନକୁ ସୁଚାରୁ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆଇଓସିଏଲ୍ ଓ ଗେଲ୍ ପରି ପ୍ରମୁଖ ଶକ୍ତି ସଂସ୍ଥାଗୁଡ଼ିକର ବୈଷୟିକ ଦକ୍ଷତାକୁ ବ୍ୟବହାର କରି ସିଟି ଗ୍ୟାସ୍ ପ୍ରକଳ୍ପକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ଉଦ୍ୟମ ନିଆଯାଇଛି। ପ୍ରସ୍ତାବିତ ପିଏନଜି ନୀତି ଓଡ଼ିଶାକୁ ସ୍ୱଚ୍ଛ ଓ ସ୍ଥାୟୀ ଶକ୍ତି ବ୍ୟବସ୍ଥାରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ କରିବ ବୋଲି ଆଶା କରାଯାଉଛି।

