Sun. Apr 19th, 2026

ନ୍ୟୁଜ ଡେକ୍ସ : ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରାୟ ୨୧୦ କୋଟି ଟଙ୍କା ବ୍ୟୟରେ କଟକର ମହାନଦୀ କୂଳର ୪୨୬ ଏକର ଅଞ୍ଚଳକୁ ଏହି ପ୍ରକଳ୍ପ ମାଧ୍ୟମରେ ବିକଶିତ କରାଯିବାକୁ ଯୋଜନା ରହିଛି।ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ୨୮୪ ଏକର ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯିବ।

ଅବଶିଷ୍ଟ ୧୪୨ ଏକର ଅଞ୍ଚଳକୁ ପର୍ଯ୍ୟଟନ ଉପଯୋଗୀ ଭାବେ ବିକଶିତ କରାଯିବା ସହ ବିଭିନ୍ନ ଯାନିଯାତ୍ରା ପାଇଁ ମଧ୍ୟ ସୁବିଧା ସୃଷ୍ଟି କରାଯିବ। ପ୍ରକଳ୍ପରେ ଓଡ଼ିଶା ହାଟ, ହେରିଟେଜ ଭିଲେଜ, ପିକନିକ୍ ଏରିଆ, ଇଣ୍ଟରପ୍ରିଟେସନ ସେଣ୍ଟର, ଫୁଡ୍ କୋର୍ଟ, ଲନ୍ ଓ ବଗିଚା ସହିତ ମହାନଦୀ କୂଳର ବିଭିନ୍ନ ଜଳାଶୟର ସୌନ୍ଦର୍ଯ୍ୟକରଣ କାମ ସମ୍ମିଳିତ ରହିଛି। ସମସ୍ତ କାର୍ଯ୍ୟ ଗ୍ରୀନ୍ ଟ୍ରିବ୍ୟୁନାଲ ଗାଇଡଲାଇନ ଅନୁଯାୟୀ କରାଯିବ।ପ୍ରକଳ୍ପକୁ ଜାତୀୟ ସ୍ତରର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱ ଦେଇଥିଲେ। ଏହି ଦିଗରେ ଗୁଜରାଟର ସାବରମତୀ ରିଭରଫ୍ରଣ୍ଟ ମଡେଲକୁ ଅନୁଧ୍ୟାନ କରିବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରଥମ ପର୍ଯ୍ୟାୟର କାମ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ସମସ୍ତ ପ୍ରାରମ୍ଭିକ ପ୍ରକ୍ରିୟା ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଧବଳେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ନ୍ୟାସନାଲ ଲ କଲେଜ୍ ନିକଟସ୍ଥ ଅଞ୍ଚଳକୁ ବିକଶିତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହ ମହାନଦୀ ମଧ୍ୟରେ କ୍ରୁଜ୍ ସେବା ଆରମ୍ଭ କରିବା ପାଇଁ ମଧ୍ୟ ସେ ମତ ପ୍ରକାଶ କରିଥିଲେ।ଏହି ସମସ୍ତ କାର୍ଯ୍ୟ ପାଇଁ ଆବଶ୍ୟକ ହେଲେ ଅଧିକ ଅର୍ଥ ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ, ପ୍ରକଳ୍ପଟି କଟକ ସହରର ଉନ୍ନତିରେ ନୂଆ ଦିଗ ଆଣିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *