ନ୍ୟୁଜ ଡେକ୍ସ :ରାଜ୍ୟର ଉଚ୍ଚ ଶିକ୍ଷାକୁ ଆଧୁନିକ ଓ ପ୍ରଯୁକ୍ତିମୂଳକ କରିବା ଦିଗରେ ସରକାର ବଡ ପଦକ୍ଷେପ ନେଇଛନ୍ତି। ଶିକ୍ଷାନୁଷ୍ଠାନରେ କୃତିମ ବୁଦ୍ଧିମତା (AI) ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି ଯେ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ‘AI for ALL’ ପାଠ୍ୟକ୍ରମ ଶିଘ୍ର ଆରମ୍ଭ ହେବ।
ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନୂତନ ପ୍ରଯୁକ୍ତି ବିଷୟରେ ଜ୍ଞାନ ଅର୍ଜନ କରିପାରିବେ।ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟରେ AI ଏବଂ ରୋବୋଟିକ୍ସ ସେଣ୍ଟର ଅଫ ଏକ୍ସେଲେନ୍ସ ଖୋଲାଯାଇଛି। ଏହା ଛାତ୍ରଛାତ୍ରୀଙ୍କ ପାଇଁ ଗବେଷଣା ଓ ପ୍ରଶିକ୍ଷଣର ନୂଆ ଅବସର ସୃଷ୍ଟି କରିବ। ଏହା ସହିତ ସମ୍ବଲପୁର ଅବସ୍ଥିତ ଓଡିଶା ଷ୍ଟେଟ ଓପେନ ୟୁନିଭର୍ସିଟିରେ କଳା ସ୍ନାତକୋତର ଦ୍ୱିତୀୟ ସେମିଷ୍ଟାରରେ AI ପାଠ୍ୟକ୍ରମ ପଢାଯାଉଛି ବୋଲି ସେ କହିଛନ୍ତି।ଅନ୍ୟପଟେ, ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ଥିବା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ୧୭ଟି ବିଶ୍ୱବିଦ୍ୟାଳୟରେ ୭୦୯ ଆସିଷ୍ଟାଣ୍ଟ ପ୍ରଫେସର, ୪୬୧ ଆସୋସିଏଟ୍ ପ୍ରଫେସର ଓ ୨୬୪ ପ୍ରଫେସର ପଦ ଖାଲି ରହିଛି। ସେହିପରି ଅଣଶିକ୍ଷକ କ୍ଷେତ୍ରରେ ମଧ୍ୟ ୨୩୨୫ଟି ପଦ ଖାଲି ରହିଛି, ଯାହା ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ପଦଗୁଡିକୁ ଶିଘ୍ର ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କଥା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

