Sun. Apr 19th, 2026

ନ୍ୟୁଜ ଡେକ୍ସ : ମହାନଦୀ କୂଳର ସୁଲୁସୁଲିଆ ପବନ ମଧ୍ୟରେ ବହି ପଢ଼ିବାର ଅନୁଭବକୁ ନୂଆ ମାନ ଦେଇଛି କଟକର ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ‘କଟକ ସାହିତ୍ୟ ସରୋବର’। କଟକର ବାଲିଯାତ୍ରା ପଡ଼ିଆ ଗଡ଼ଗଡ଼ିଆ ଘାଟରେ ଆୟୋଜିତ ଏହି ମେଳା ପୁସ୍ତକପ୍ରେମୀଙ୍କ ପାଇଁ ନୂଆ ଆକର୍ଷଣ ହୋଇଉଠିଛି ।୫୦ରୁ ଅଧିକ ପ୍ରକାଶନୀ ସଂସ୍ଥା ଏଠାରେ ଯୋଗଦେଇ ପ୍ରାୟ ୨ ଲକ୍ଷ ପୁସ୍ତକର ସମ୍ଭାର ଆଣିଛନ୍ତି ।

ଶିଶୁ ସାହିତ୍ୟ ଠାରୁ ଆରମ୍ଭ କରି ବିଜ୍ଞାନ, ସାହିତ୍ୟ ଓ ଏଆଇ ପର୍ଯ୍ୟନ୍ତ ବିଭିନ୍ନ ବିଷୟର ପୁସ୍ତକ ଏଠାରେ ଉପଲବ୍ଧ ଅଛି । କୁନି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବର୍ଗର ପାଠକ ନିଜ ପସନ୍ଦର ବହି ବାଛି ପଢ଼ୁଛନ୍ତି ଓ କିଣୁଛନ୍ତି ।ପାଠକଙ୍କୁ ଆକର୍ଷିତ କରିବା ପାଇଁ ସେଲ୍‌ଫି ଷ୍ଟାଣ୍ଡ, ତତ୍କାଳ ଫଟୋ ସେବା, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଖାଦ୍ୟ ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଶେଷକରି ସ୍କୁଲ ଓ କଲେଜ ପରୀକ୍ଷା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କ ଭିଡ଼ ବଢ଼ିଛି ।ଦୀର୍ଘ ବର୍ଷ ପରେ କଟକ ମହାନଗର ନିଗମ ପକ୍ଷରୁ ଏହି ପୁସ୍ତକ ମେଳାର ଆୟୋଜନ ହୋଇଥିବାରୁ ସାହିତ୍ୟପ୍ରେମୀମାନେ ଖୁସି ପ୍ରକାଶ କରୁଛନ୍ତି । ଗତ ଶୁକ୍ରବାରରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଓଡିଆ ସାହିତ୍ୟର ପ୍ରସିଦ୍ଧ ସ୍ରଷ୍ଟାମାନଙ୍କ କୃତି ମଧ୍ୟ ଏଠାରେ ଉପଲବ୍ଧ ଅଛି । ଜୟଦେବ ଠାରୁ ସାରଳା ଦାସ, ଫକୀରମୋହନ ସେନାପତି, ଗୋପୀନାଥ ମହାନ୍ତି, ମନୋଜ ଦାସ ଓ ପ୍ରତିଭା ରାୟ ପର୍ଯ୍ୟନ୍ତ ଅନେକ ସାହିତ୍ୟିକଙ୍କ ପୁସ୍ତକ ପାଠକଙ୍କୁ ଆକର୍ଷିତ କରୁଛି ।ଧାର୍ମିକ ଗ୍ରନ୍ଥରୁ ଆରମ୍ଭ କରି ଶିକ୍ଷାମୂଳକ ପୁସ୍ତକ ପର୍ଯ୍ୟନ୍ତ ବିଭିନ୍ନ ବିଷୟର ସମ୍ଭାର ସହ ଏହି ପୁସ୍ତକ ମେଳା ଏବେ ସାହିତ୍ୟ ଓ ସଂସ୍କୃତିର ଏକ ବଡ଼ ମଞ୍ଚରେ ପରିଣତ ହୋଇଛି ।

Leave a Reply

Your email address will not be published. Required fields are marked *