ନ୍ୟୁଜ ଡେକ୍ସ : ଖାଦ୍ୟ ସୁରକ୍ଷା ଓ ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ଉତ୍ତରପ୍ରଦେଶ ସରକାର ଅଣ୍ଡାରେ ଉତ୍ପାଦନ ତାରିଖ ସହ ଏକ୍ସପାଏରୀ ତାରିଖ ଉଲ୍ଲେଖକୁ ବାଧ୍ୟତାମୂଳକ କରିଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ନିୟମ ଲାଗୁ ହେବ । ଏହା ଫଳରେ ଦୋକାନୀଙ୍କ ଠକେଇ ରୋକାଯିବ ଓ ଗ୍ରାହକମାନେ ନିରାପଦ ଖାଦ୍ୟ ପାଇପାରିବେ ।ଏହି ନିଷ୍ପତ୍ତିକୁ ନେଇ ଓଡିଶାରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏଠାରେ ଅଣ୍ଡା ଦୈନିକ ଖାଦ୍ୟର ଏକ ଅଂଶ ହୋଇଥିବା ବେଳେ ଘରୁ ଆରମ୍ଭ କରି ଅଙ୍ଗନବାଡ଼ି ଓ ହସ୍ପିଟାଲ୍ ପର୍ଯ୍ୟନ୍ତ ସବୁଠି ଏହାର ବ୍ୟବହାର ହେଉଛି । ସରକାରୀ ଯୋଜନାରେ ମଧ୍ୟ ମାଗଣା ଅଣ୍ଡା ବଣ୍ଟନ କରାଯାଉଛି ।ତଥାପି ରାଜ୍ୟରେ ଅଣ୍ଡାର ଚାହିଦା ଓ ଉତ୍ପାଦନ ମଧ୍ୟରେ ବଡ଼ ତଫାତ୍ ରହିଛି । ଦୈନିକ ପ୍ରାୟ ୩ କୋଟି ଅଣ୍ଡାର ଆବଶ୍ୟକତା ଥିବା ବେଳେ ଉତ୍ପାଦନ ମାତ୍ର ୧ କୋଟି ୧୦ ହଜାର ଅଟେ । ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରୁ ବାର୍ଷିକ ପ୍ରାୟ ୯୦ କୋଟି ଅଣ୍ଡା ଆମଦାନୀ କରାଯାଉଛି ।ବଜାରରେ ଅଣ୍ଡାର ଗୁଣବତ୍ତା ନେଇ ମଧ୍ୟ ସନ୍ଦେହ ରହୁଛି । ଅନେକ ସମୟରେ ଏକ୍ସପାଏରୀ ତାରିଖ ନଥିବାରୁ ପଚା ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ମିଳୁଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଖରାପ ଅଣ୍ଡା ଖାଇଲେ ପେଟରେ ଗ୍ୟାସ ସମସ୍ୟା ଓ ଚର୍ମରେ ଆଲର୍ଜି ସୃଷ୍ଟି ହୋଇପାରେ । ଓଡିଶାରେ ଶୀତଳ ଭଣ୍ଡାରର ଅଭାବ ମଧ୍ୟ ଏକ ବଡ଼ ସମସ୍ୟା । ଅଧିକାଂଶ ସ୍ଥାନରେ ଅଣ୍ଡାକୁ ସାଧାରଣ ତାପମାତ୍ରାରେ ରଖାଯାଉଥିବାରୁ ଏହାର ଗୁଣବତ୍ତା ଶୀଘ୍ର କମିଯାଉଛି । ବେପାରୀମାନେ ୧୫ରୁ ୨୦ ଦିନ ମଧ୍ୟରେ ଅଣ୍ଡା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।ଏହି ପରିପ୍ରେକ୍ଷିତରେ ଓଡିଶା ପୋଲଟ୍ରି ଫେଡେରସନ୍ର ସାଧାରଣ ସମ୍ପାଦକ ଜ୍ୟୋତିକାନ୍ତ ମହାପାତ୍ର କହିଛନ୍ତି ଯେ ଉତ୍ତରପ୍ରଦେଶର ନିଷ୍ପତ୍ତି ସ୍ୱାଗତଯୋଗ୍ୟ, କିନ୍ତୁ ଓଡିଶାରେ ଏହାକୁ ଲାଗୁ କରିବା ପାଇଁ ଭଲଭାବେ ତର୍ଜମା କରିବା ଆବଶ୍ୟକ ।ପ୍ରାଣୀ ପାଳନ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ଏହି ବ୍ୟବସ୍ଥାକୁ ଲାଗୁ କରିବା କିଛି ଅସୁବିଧାଜନକ ହେଲେ ମଧ୍ୟ ବିଭାଗୀୟ ସ୍ତରରେ ଆଲୋଚନା କରି ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବା ସମ୍ଭାବନା ରହିଛି ।

