Sun. Apr 19th, 2026

ନ୍ୟୁଜ ଡେକ୍ସ : ଅନ୍ୟ ଜାତିରେ ଝିଅର ନିର୍ବନ୍ଧ କରିବା ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀଙ୍କ ପରିବାର ପାଇଁ ମହଙ୍ଗା ପଡ଼ିଛି । ସମାଜ ନିୟମ ଉଲ୍ଲଂଘନ ଅଭିଯୋଗରେ ଅଖିଳ ଭାରତୀୟ ଭତରା ପରିଷଦ ପକ୍ଷରୁ ତାଙ୍କ ପରିବାରକୁ ଜାତିରୁ ବାସନ୍ଦ କରାଯାଇଛି ।ଏହି ନିଷ୍ପତ୍ତି ଝରିଗାଁ ବ୍ଲକର ଦନ୍ତେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ସମାଜ ବୈଠକରେ ଗ୍ରହଣ କରାଯାଇଥିଲା ।

ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ସଭାପତି, ସମ୍ପାଦକ ଓ ସମାଜର ନାଇକ, ପାଇକମାନେ ଯୋଗ ଦେଇଥିଲେ ।ଜିଲ୍ଲା ସଭାପତି ଜଗନ୍ନାଥ ମାଝୀ କହିଛନ୍ତି ଯେ ବିଧାୟକଙ୍କ ପରିବାର ସଦସ୍ୟଙ୍କ ଭଲମନ୍ଦରେ ସମାଜ ଆଗାମୀ ଦିନରେ ସାମିଲ ହେବ ନାହିଁ । ସେହିପରି ଉପସଭାପତି ରାମଧର ମାଝୀ, ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ ଓ ଗୋପୀନାଥ ମାଝୀ ସହିତ ଅନ୍ୟ ସଦସ୍ୟମାନେ ଏହି ନିର୍ବନ୍ଧକୁ ବିରୋଧ କରିଥିଲେ ।ଅନ୍ୟପଟେ, ଶ୍ରୀ ପ୍ରଧାନୀ ଏହାକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ଝିଅଙ୍କର ସାମ୍ବିଧାନିକ ଅଧିକାର ରହିଛି ଏବଂ ବାପା ଭାବେ ସେ ଏହାକୁ କ୍ଷୁଣ୍ଣ କରିପାରିବେନି ।

ଝିଅ ଓ ଭାବି ଜ୍ୱାଇଁ ଉଚ୍ଚଶିକ୍ଷିତ ଓ ଏକେ କମ୍ପାନୀରେ କାର୍ଯ୍ୟରତ ବୋଲି ସେ କହିଛନ୍ତି । ଉଭୟ ପରିବାରର ସମ୍ମତିରେ ବିବାହ ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ, ପୂର୍ବରୁ ମଧ୍ୟ ଅନ୍ୟ ଜାତିରେ ବିବାହ କରିଥିବା କେତେକ ନେତାଙ୍କୁ ଭତରା ସମାଜ ପକ୍ଷରୁ ବାସନ୍ଦ କରାଯାଇଥିଲା । ପରେ ସେମାନେ ସମାଜର ନୀତି ଓ ପ୍ରଥାକୁ ଅନୁସରଣ କରି ପୁନଃ ଜାତିରେ ଫେରିଥିଲେ ।

Leave a Reply

Your email address will not be published. Required fields are marked *