Sun. Apr 19th, 2026

ନ୍ୟୁଜ ଡେକ୍ସ : ଓଡିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପୁଲିସ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି । ଆସନ୍ତା ଏପ୍ରିଲ ୧ ତାରିଖରୁ ସ୍ୱତନ୍ତ୍ର ନିଶାମୁକ୍ତ ଅଭିଯାନ ଆରମ୍ଭ ହେବ ବୋଲି ପୁଲିସ ଡିଜି ଓଡିଶା ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।ଏହି ଅଭିଯାନର ଲକ୍ଷ୍ୟ ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟରୁ ସମସ୍ତ ପ୍ରକାର ନିଶା ଦ୍ରବ୍ୟର ମୂଳୋତ୍ପାଟନ କରିବା । ଏହା ପାଇଁ ରାଜ୍ୟର ସମସ୍ତ ଏସପି ଓ ଏସଟିଏଫଙ୍କୁ କଢ଼ା ନିର୍ଦ୍ଦେଶ ଦିଆଯାଇଛି ।

ନିଶା ମାଫିଆଙ୍କୁ ଯେଉଁଠି ଚିହ୍ନଟ କରାଯିବ ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ବନ୍ଧାଯିବ ।ଯୋଜନା ଅନୁଯାୟୀ, ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟରେ ଥିବା ସମସ୍ତ ନିଶା ଦ୍ରବ୍ୟକୁ ଜବତ କରି ନଷ୍ଟ କରାଯିବ । ସ୍କୁଲ ଓ କଲେଜ କ୍ୟାମ୍ପସର ୫୦୦ ମିଟର ଅଞ୍ଚଳ ମଧ୍ୟରେ ନିଶା ବିକ୍ରିକୁ କଢ଼ା ଭାବରେ ନିଷେଧ କରାଯାଇଛି ।ସାଧାରଣ ଲୋକମାନେ ଯଦି କୌଣସି ନିଶା ବ୍ୟବସାୟ ସମ୍ପର୍କରେ ସୂଚନା ପାଆନ୍ତି, ସେମାନେ ୧୧୨ ନମ୍ବର କିମ୍ବା ନିକଟସ୍ଥ ଥାନା ଓ ଜିଲ୍ଲା ଏସପିଙ୍କୁ ଖବର ଦେଇପାରିବେ । ଏପ୍ରିଲ ୧, ୨୦୨୬ ରୁ ଏପ୍ରିଲ ୧, ୨୦୨୯ ପର୍ଯ୍ୟନ୍ତ ରାଜ୍ୟକୁ ନିଶାମୁକ୍ତ କରିବାକୁ ଲକ୍ଷ୍ୟ ଧରାଯାଇଛି ।

ଏହି ଅଭିଯାନ ଅନ୍ତର୍ଗତରେ ଖୋର୍ଦ୍ଧା ଜିଲ୍ଲାରେ ଅଭ୍ୟାସଗତ ନିଶା ବେପାରୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।ନିଶା ମାଫିଆଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯିବା ସହ ତାହାକୁ ଧ୍ୱଂସ କରାଯିବ ବୋଲି ପୁଲିସ ପକ୍ଷରୁ ସଚେତନ କରାଯାଇଛି । ଏହା ସହ ରାଜ୍ୟରେ ଅପରେସନ ପ୍ରହାର ମାଧ୍ୟମରେ ନିଶା ବ୍ୟବସାୟକୁ ସମୂଳେ ଉଚ୍ଛେଦ କରିବାକୁ ଜୋରଦାର ପଦକ୍ଷେପ ନିଆଯାଉଛି ।

ସମ୍ପ୍ରତି ବ୍ୟାପକ ଅଭିଯାନରେ ରାଜ୍ୟରୁ ପ୍ରାୟ ୨୮ଶହ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଏହା ସହ ଆଣ୍ଟି ନକ୍ସଲ ଅଭିଯାନ ସମୟରେ ଗଞ୍ଜେଇ ଚାଷକୁ ମଧ୍ୟ ନଷ୍ଟ କରାଯାଉଛି, ଯାହା ପୂର୍ବରୁ ମାଓବାଦୀମାନଙ୍କ ଆର୍ଥିକ ଶକ୍ତିର ମୂଳ ଥିଲା ।ତଥାପି ପଡ଼ୋଶୀ ରାଜ୍ୟରୁ ସିନ୍ଥେଟିକ ଡ୍ରଗ୍ସ, ହିରୋଇନ ଓ ବ୍ରାଉନସୁଗାର ଆସୁଥିବାରୁ ଏହାକୁ ରୋକିବା ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇରହିଛି ।

Leave a Reply

Your email address will not be published. Required fields are marked *