Sun. Apr 19th, 2026

ନ୍ୟୁଜ ଡେକ୍ସ : ଦେଶରେ ଚାଲିଥିବା ଗ୍ୟାସ୍ ସଂକଟ ମଧ୍ୟରେ ହୋଟେଲ, ଢାବା ଓ ଖାଦ୍ୟ ସେବା ସଂସ୍ଥାଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତି ସୂଚନା ଆସିଛି । କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅତିରିକ୍ତ ୨୦% ଗ୍ୟାସ୍ ଯୋଗାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ପର୍କରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖାଯାଇଛି ।

ମନ୍ତ୍ରାଳୟର ସଚିବ ଡ. ନୀରଜ ମିତ୍ତଲ ଜଣାଇଛନ୍ତି ଯେ ଆସନ୍ତା ୨୩ ତାରିଖରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏହି ବୃଦ୍ଧିତ ଯୋଗାଣ ଲାଗୁ ହେବ ।ଏହା ଫଳରେ ଗ୍ୟାସ୍ ଯୋଗାଣ ସଂକଟ ପୂର୍ବରୁ ମିଳୁଥିବା କୋଟାର ପ୍ରାୟ ୫୦% ପର୍ଯ୍ୟନ୍ତ ବଢ଼ିବ । ବୃଦ୍ଧିତ ୨୦% ଗ୍ୟାସ୍ ପ୍ରାଥମିକତା ଭିତ୍ତିରେ ବଣ୍ଟନ କରାଯିବ ।ଏହି ଯୋଗାଣରେ ରେଷ୍ଟୁରାଣ୍ଟ, ଢାବା, ହୋଟେଲ, ଶିଳ୍ପ ସଂସ୍ଥାର କ୍ୟାଣ୍ଟିନ୍, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଓ ଦୁଗ୍ଧ ଶିଳ୍ପକୁ ଗୁରୁତ୍ୱ ଦିଆଯିବ । ସେହିପରି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଚାଲୁଥିବା ସ୍ୱଳ୍ପମୂଲ୍ୟ କ୍ୟାଣ୍ଟିନ୍ ଓ କମ୍ୟୁନିଟି କିଚେନମାନେ ମଧ୍ୟ ଏଥିରୁ ଲାଭାନ୍ବିତ ହେବେ ।

ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୫ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ଯୋଗାଣର ବ୍ୟବସ୍ଥା ମଧ୍ୟ କରାଯିବ । ସେଥିସହ ଏହି LPG ଅନ୍ୟ କୌଣସି କାମରେ ବ୍ୟବହାର ନହେବା ପାଇଁ କଢ଼ା ନିର୍ଦ୍ଦେଶ ଜାରି କରାଯାଇଛି ।ଗ୍ୟାସ୍ ସଂକଟ ଯୋଗୁଁ ଯେଉଁ ସମସ୍ତ ସେବାମୂଳକ ସଂସ୍ଥା ଅସୁବିଧାରେ ପଡ଼ିଥିଲେ, ସେମାନଙ୍କ ପାଇଁ ଏହି ପଦକ୍ଷେପ ଏକ ରାହତ ନେଇଆସିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *