ନ୍ୟୁଜ ଡେକ୍ସ : ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ-୨୦୨୬ ଉଦଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୨୯୨ କୋଟି ଟଙ୍କାର ୧୭ଟି ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ ୩୨୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଜଳ ସମ୍ପଦ ବିକାଶ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାରେ ସାହାଯ୍ୟ କରିବ।
ସମାରୋହରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଜଳ ସୁରକ୍ଷା ହେଉଛି ପ୍ରମୁଖ ସର୍ତ୍ତ। ଜଳ ପରିଚାଳନାରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ସରକାର କାମ କରୁଛନ୍ତି।ସେ ଆହୁରି କହିଥିଲେ ଯେ, ବିଶ୍ୱ ଜଳ ଦିବସରେ ଜଳ ଅପଚୟ ନ କରିବାର ବାର୍ତ୍ତା ପ୍ରତ୍ୟେକ ଘରେ ପହଞ୍ଚିବା ଆବଶ୍ୟକ। ପ୍ରତ୍ୟେକ ନାଗରିକଙ୍କୁ ଜଳର ସଠିକ୍ ବ୍ୟବହାର ପାଇଁ ସଚେତନ ହେବା ଦରକାର।ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ୍କୁ ସେ ଏକ ବୈପ୍ଲବିକ ଯୋଜନା ବୋଲି ଉଲ୍ଲେଖ କରିଥିଲେ।
ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇ ଜଳାଭାବକୁ ଦୂର କରିବାର ସଂକଳ୍ପ ନିଆଯାଇଛି। ବର୍ତ୍ତମାନ ସମୟରେ ଜଳର ଉପଯୁକ୍ତ ବ୍ୟବହାର ଓ ଶୁଦ୍ଧ ପାନୀୟ ଜଳର ଉପଲବ୍ଧତା ବୃଦ୍ଧି କରିବା ଅତ୍ୟନ୍ତ ଆବଶ୍ୟକ। ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ୨୦୪୭ ମାଧ୍ୟମରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବଢୁଥିବା ଜଳ ଚାହିଦାକୁ ପୂରଣ କରିବା ପାଇଁ ଜଳ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।ଏହି ସମାରୋହ ମାଧ୍ୟମରେ ଜଳ ସଂରକ୍ଷଣ ଓ ସଚେତନତାକୁ ଆହୁରି ବ୍ୟାପକ କରିବାରେ ଜୋର ଦିଆଯାଇଛି।

