ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତା କିଛି ଦିନ ଧରି କାଳବୈଶାଖୀ ପ୍ରଭାବ ଦେଖାଯିବାକୁ ଥିବାବେଳେ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମାର୍ଚ୍ଚ ଶେଷ ସପ୍ତାହରେ ବିଭିନ୍ନ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ପାତ ହେବାର ସମ୍ଭାବନା ରହିଛି।ବିଶେଷକରି ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।
ଏହି ପରିସ୍ଥିତିକୁ ଦେଖି ଏସ୍ଆରସିଙ୍କ ପକ୍ଷରୁ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।କାଳବୈଶାଖୀ ପ୍ରଭାବରେ କୌଣସି ସ୍ଥାନରେ କ୍ଷୟକ୍ଷତି ଘଟିଲେ ତୁରନ୍ତ ଜିଲ୍ଲା ପ୍ରଶାସନ ଦ୍ୱାରା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି।
ଆଜି ବାଲେଶ୍ୱର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ସହ ବଜ୍ରପାତ ହେବା ନେଇ ସତର୍କତା ଜାରି କରାଯାଇଛି।ଏହା ସହ କୋହଲା ପାଗର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୬ରୁ ୭ ଡିଗ୍ରି ପର୍ଯ୍ୟନ୍ତ କମିଛି। ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ଛିଟିଏଫୁଟିଏ ବର୍ଷା ହେବାର ସମ୍ଭାବନା ରହିଛି।

