ନ୍ୟୁଜ ଡେକ୍ସ : ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ବର୍ତ୍ତମାନ ଆଇପିଏଲ୍ ୨୦୨୬ରେ ବ୍ୟସ୍ତ ଥିବା ବେଳେ ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଚୟନ ପ୍ରକ୍ରିୟା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର ଚୟନ କମିଟି ଆଇପିଏଲ୍ରେ ଖେଳାଳିଙ୍କ ପ୍ରଦର୍ଶନକୁ ବିଶେଷ ଗୁରୁତ୍ୱ ଦେବେ ବୋଲି ଖବର ମିଳିଛି।ଚୟନ କମିଟି ସଦସ୍ୟମାନେ ଭିନ୍ନ ଭିନ୍ନ ମ୍ୟାଚ୍ ସ୍ଥଳରେ ଯାଇ ଖେଳାଳିଙ୍କ ଖେଳକୁ ନିକଟରୁ ଅନୁଧ୍ୟାନ କରିବେ।
ବିଶ୍ୱକପ ପାଇଁ ପ୍ରାୟ ୨୦ ଜଣ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୬ ଜଣ ପେସ ବୋଲର ଅଛନ୍ତି।ଆଗାମୀ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ନାମ୍ବିଆ ଓ ଜିମ୍ବାୱେରେ ଅନୁଷ୍ଠିତ ହେବାକୁ ଥିବାରୁ ସେଠାର ପିଚ୍ ପେସ ବୋଲରମାନଙ୍କ ପାଇଁ ଅନୁକୂଳ ହେବ ବୋଲି ଧାରଣା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପେସ ବୋଲରମାନଙ୍କୁ ବେଶି ଗୁରୁତ୍ୱ ଦିଆଯାଉଛି। ରିପୋର୍ଟ ଅନୁଯାୟୀ, ଯଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ହର୍ଷିତ ରାଣାଙ୍କ ନାମ ପ୍ରମୁଖ ଭାବେ ଆସିଛି। ଏଥିରେ ସିରାଜ ଓ ହର୍ଷିତ ବର୍ତ୍ତମାନ ଆଘାତପ୍ରାପ୍ତ ଥିବା ବେଳେ ବିଶ୍ୱକପ ପୂର୍ବରୁ ସେମାନେ ଫିଟ୍ ହେବେ ବୋଲି ଆଶା କରାଯାଉଛି।
ଏହା ସହିତ ବିସିସିଆଇ ବୁମରାହଙ୍କୁ କମ୍ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ପରାମର୍ଶ ଦେଇଛି, ଯାହା ଦ୍ୱାରା ସେ ବିଶ୍ୱକପ ପାଇଁ ସୁସ୍ଥ ରହିପାରିବେ।ଅନ୍ୟପଟେ, ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରୁଥିବା ଈଶାନ କିଶାନ, ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ଉପରେ ମଧ୍ୟ ବିସିସିଆଇ ନଜର ରଖିଛି। ଏହି ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଆଗାମୀ ଦିନରେ ଟିମ୍ ଚୟନରେ ମୁଖ୍ୟ ଭୂମିକା ନେବ।

