ନ୍ୟୁଜ ଡେକ୍ସ : ଆଇପିଏଲ୍ ୨୦୨୬ର ଉଦଘାଟନୀ ମ୍ୟାଚ୍ ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ।ତେବେ ଏଥର ଆଇପିଏଲରେ ଉଦଘାଟନୀ ସମାରୋହ ଆୟୋଜନ ହେବ ନାହିଁ।
ଗତ ବର୍ଷ ଜୁନ ୪ରେ ଆରସିବିର ଭିକ୍ଟ୍ରି ପରେଡ ସମୟରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣାରେ ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା, ସ୍ମୃତି ଓ ସମ୍ମାନ ଜଣାଇବା ପାଇଁ ବିସିସିଆଇ ଉଦଘାଟନୀ ଉତ୍ସବ ନ କରିବାକୁ ନିଷ୍ପତ୍ତି ନେଇଛି।ଗତ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ନିଜର ପ୍ରଥମ ଆଇପିଏଲ୍ ଟାଇଟଲ୍ ଜିତିଥିଲା।
ବିସିସିଆଇ ସଚିବ ଦେବଜିତ ସୈକିୟା କହିଛନ୍ତି ଯେ ଆଇପିଏଲ୍ ୨୦୨୬ର ଶେଷରେ ଏକ ଭବ୍ୟ ଉଦଯାପନୀ ସମାରୋହ ଆୟୋଜନ ପାଇଁ ଯୋଜନା ହେଉଛି। ୧୦ଟି ଦଳକୁ ନେଇ ଆୟୋଜିତ ଏହି ଲିଗ୍ ପାଇଁ ବିସିସିଆଇ ପ୍ରଥମେ ୨୦ଟି ମ୍ୟାଚ୍ର ସୂଚୀ ଘୋଷଣା କରିଛି।ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବାରୁ ବାକି ମ୍ୟାଚ୍ର ସୂଚୀ ଶୀଘ୍ର ଘୋଷଣା କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି।

