ନ୍ୟୁଜ ଡେକ୍ସ : ପ୍ରସିଦ୍ଧ ଗାୟକ ଏବଂ ରାପର ବାଦଶାହା ପୁଣିଥରେ ବିବାହ କରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢ଼ିଛି। ତାଙ୍କ ବିବାହ ସମ୍ବନ୍ଧୀୟ ଅନେକ ଫଟୋ ଏବଂ ଭିଡିଓ ସମ୍ପ୍ରତି ସାମ୍ନାକୁ ଆସିଛି। ଦୀର୍ଘ ସମୟ ଧରି ଏହି ବିବାହକୁ ନେଇ ଗୁଜବ ଚାଲିଥିଲା, କିନ୍ତୁ କୌଣସି ଆଧିକାରିକ ସ୍ପଷ୍ଟତା ମିଳିନଥିଲା। ହଠାତ୍ ପୁନମ ରିଖିଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଏହି ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି।
ଖବର ଅନୁସାରେ, ବାଦଶାହା ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କୁ ଜୀବନସାଥୀ ଭାବରେ ବାଛିଛନ୍ତି। ଏହି ବିବାହ ଅତ୍ୟନ୍ତ ସରଳ ଭାବେ ନିକଟତମ ପରିବାର ଓ ବନ୍ଧୁମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିବା କୁହାଯାଉଛି। ଭିଡିଓରେ ଦୁହେଁଙ୍କୁ ମାଳା ବଦଳ କରୁଥିବା ଏବଂ ପାରମ୍ପରିକ ବିବାହ ରୀତିନୀତି ପାଳନ କରୁଥିବା ଦେଖାଯାଇଛି। ଈଶାଙ୍କ ପରିବାର ପକ୍ଷରୁ ମଧ୍ୟ ସୋସିଆଲ ମିଡିଆରେ ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଯାଇଛି। ଏହା ବାଦଶାହାଙ୍କ ଦ୍ୱିତୀୟ ବିବାହ। ସେ ପୂର୍ବରୁ ୨୦୧୨ ମସିହାରେ ଜାସ୍ମିନ୍ ମସିହଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୨୦ ମସିହାରେ ଦୁହେଁ ପାରସ୍ପରିକ ସମ୍ମତିରେ ଅଲଗା ହୋଇଥିଲେ। ଛଅ ବର୍ଷ ପରେ ସେ ପୁଣିଥରେ ନୂଆ ଜୀବନ ଆରମ୍ଭ କରିଥିବା କୁହାଯାଉଛି। ତଥାପି, ବାଦଶାହା ନିଜେ ଏହି ବିବାହକୁ ଆଧିକାରିକ ଭାବେ ସ୍ୱୀକାର କରିନାହାଁନ୍ତି।
ଈଶା ରିଖି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପରିଚିତ ନାମ। ସେ ସିପ୍ପି ଗିଲଙ୍କ ସହ ‘ଜଟ୍ ବୟଜ୍ ପୁଟ୍ ଜଟ୍ଟାନ୍ ଦେ’ ଫିଲ୍ମରେ ଡେବ୍ୟୁ କରିଥିଲେ ଏବଂ ପରେ ‘ହାପି ଗୋ ଲକି’ ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।ସୂତ୍ରମାନଙ୍କ ଅନୁସାରେ, ବାଦଶାହା ଓ ଈଶା ଦୀର୍ଘ ସମୟ ଧରି ଏକାପରକାରଙ୍କୁ ଡେଟ୍ କରୁଥିଲେ। ୨୦୨୨ ପୂର୍ବରୁ ମଧ୍ୟ ସେମାନଙ୍କ ସମ୍ପର୍କକୁ ନେଇ ଗୁଜବ ଚାଲିଥିଲା। କିନ୍ତୁ ସେମାନେ କେବେ ଆଧିକାରିକ ଭାବେ ସମ୍ପର୍କକୁ ସ୍ୱୀକାର କରିନଥିଲେ। ଏବେ ହଠାତ୍ ବିବାହ ଫଟୋ ପ୍ରକାଶ ପାଇବା ପରେ ଭକ୍ତମାନେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି।

