ନ୍ୟୁଜ ଡେକ୍ସ : ଓଡ଼ିଆ ଖାଦ୍ୟର ସୁଗନ୍ଧ ଏବେ ସାରା ଭାରତରେ ଛଟା ହେବାକୁ ଯାଉଛି। ଓଡ଼ିଶା ସୀମା ଡେଇଁ ଦେଶର ବିଭିନ୍ନ କୋଣାରେ ପହଞ୍ଚିବ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ। ଏହି ଉଦ୍ୟମରେ ଓଡ଼ିଶା ସରକାର ନୂଆ ପଦକ୍ଷେପ ନେଇ ଜାତୀୟ ସ୍ତରରେ ଓଡ଼ିଆ ଖାଦ୍ୟକୁ ଅଧିକ ପ୍ରଚାର ଓ ପ୍ରସାର କରିବାକୁ ଯୋଜନା କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ଦେଶର ୫ଟି ପ୍ରମୁଖ ମେଟ୍ରୋ ସହର ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଓ କୋଲକାତାରେ ଓଡ଼ିଆ ରେସ୍ତୋରାଁ ଖୋଲାଯିବ।
ସେହିପରି ଆଗ୍ରା, ବାରାଣାସୀ, ଗୋଆ, କୋଚି ଓ ଜୟପୁର ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ଏହି ରେସ୍ତୋରାଁ ଖୋଲିବାର ଯୋଜନା ରହିଛି।ରାଜ୍ୟ ଭିତରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଛି। ୩୫ଟି ପର୍ଯ୍ୟଟନ ସ୍ଥଳୀ, ୩୦ଟି ଜିଲ୍ଲା ମୁଖ୍ୟାଳୟ, ୩ଟି ମହାନଗର ନିଗମ ସହ ଅନ୍ୟାନ୍ୟ ନଗର ଅଞ୍ଚଳରେ ମୋଟ ୭୭ଟି ସ୍ଥାନରେ ଓଡ଼ିଆ ରେସ୍ତୋରାଁ ଖୋଲାଯିବାକୁ ଯାଉଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ଏହାକୁ ଘରୋଇ ଭାଗିଦାରୀରେ କାର୍ଯ୍ୟକରିତ କରାଯିବ। ରେସ୍ତୋରାଁ ଖୋଲିବାକୁ ଇଚ୍ଛୁକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ଠାରୁ ଆବେଦନ ମଗାଯାଇଥିବା ବେଳେ ଅନେକେ ଆଗ୍ରହ ଦେଖାଇଛନ୍ତି। ସରକାର ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଭାବେ ୩୦ ପ୍ରତିଶତ ପୁଞ୍ଜି ନିବେଶ ସହାୟତା (ସର୍ବାଧିକ ୫ କୋଟି ଟଙ୍କା) ଓ ପ୍ରତିମାସ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ସବ୍ସିଡି ଦିଆଯିବ।
ବର୍ତ୍ତମାନ ପୁରୀ ସମୁଦ୍ରକୂଳ, ଭୁବନେଶ୍ୱର ସହିଦ ନଗର ଓ ସମ୍ବଲପୁରରେ ଓଡ଼ିଆ ଖାଦ୍ୟ ପରିବେଷଣ କରୁଥିବା ନିମନ୍ତ୍ରଣ ରେସ୍ତୋରାଁ ଚାଲିଛି। ଏଠାରେ ପିଠା, ମିଠା ସହ ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ ଲୋକମାନଙ୍କ ମନ ଜିତୁଛି।ଏହା ସହ ଇକୋ ରିଟ୍ରିଟ୍, ପାନ୍ଥନିବାସ ଓ ପ୍ରକୃତି ଶିବିରମାନଙ୍କରେ ମଧ୍ୟ ଅତିଥିମାନଙ୍କୁ ସ୍ଥାନୀୟ ଓଡ଼ିଆ ଖାଦ୍ୟ ପରସାଯାଉଛି। ମିଲେଟ୍ ବା ମାଣ୍ଡିଆ ଆଧାରିତ ଖାଦ୍ୟକୁ ମଧ୍ୟ ବୃହତ୍ ଭାବେ ପ୍ରୋତ୍ସାହନ ଦିଆଯାଉଛି।ସମ୍ପ୍ରତି ପଖାଳ ଓ ୩୨୬ ପ୍ରକାର ଓଡ଼ିଆ ବ୍ୟଞ୍ଜନ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପରେ ଓଡ଼ିଆ ଖାଦ୍ୟ ଉପରେ ଆକର୍ଷଣ ବଢ଼ିଛି। ଏହା ସହ ଜଗନ୍ନାଥ ମନ୍ଦିରର ୫୬ ପଉଟି ଭୋଗ ଓଡ଼ିଆ ରନ୍ଧନ ଶୈଳୀର ଐତିହ୍ୟକୁ ପ୍ରକାଶ କରେ। ଏହି ପଦକ୍ଷେପ ମାଧ୍ୟମରେ ଓଡ଼ିଆ ଖାଦ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚିତି ମିଳିବ ବୋଲି ଆଶା କରାଯାଉଛି।

