ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ଓ ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହୋଇଛି। ଆସନ୍ତା ୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଗଣତି ହେବାକୁ ଥିବା ସୂଚନା ମିଳିଛି।ଅତ୍ୟନ୍ତ ସ୍ବଚ୍ଛତା, ସାଧୁତା ଓ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାପ୍ରଭୁଙ୍କ ନିତ୍ୟ ବ୍ୟବହୃତ ସୁନା, ରୁପା ଓ ବିଭିନ୍ନ ରତ୍ନ ଅଳଙ୍କାରର ଓଜନ ଓ ଗଣତି କରାଯାଇଛି।
ପୂର୍ବ ନିର୍ଦ୍ଧାରିତ ମାହେନ୍ଦ୍ର ବେଳା ଠିକ୍ ଦୁପର ୧୨ଟା ୯ ମିନିଟରେ ଭଣ୍ଡାର ଖୋଲାଯାଇଥିଲା ଓ ଟିମ୍ ଭିତରକୁ ପ୍ରବେଶ କରିଥିଲେ। ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଗଣତି ପ୍ରକ୍ରିୟା ପରେ ପ୍ରଥମ ଦିନର କାମ ଶେଷ ହୋଇଥିଲା।ଏହି ଐତିହାସିକ ମୁହୂର୍ତ୍ତରେ ଟିମ୍ ସିଂହଦ୍ୱାରରେ ସାଷ୍ଟାଙ୍ଗ ପ୍ରଣିପାତ କରି ପରେ ଭିତରକୁ ପ୍ରବେଶ କରିଥିଲେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଟିମ୍ ପତିତପାବନଙ୍କୁ ମୁଣ୍ଡିଆ ମାରି ଭଣ୍ଡାରକୁ ଯାଇଥିଲେ। ଗଣତି ପ୍ରକ୍ରିୟାରେ ସୁନା, ରୁପା ଓ ରତ୍ନକୁ ତିନୋଟି ଭାଗରେ ପୃଥକ କରାଯାଇଥିଲା। ଭଣ୍ଡାର ମେକାପ, ବଣିଆ ଓ ଜେମୋଲୋଜିଷ୍ଟ ମିଶି ଚଳନ୍ତି ଭଣ୍ଡାରରେ ଅଳଙ୍କାରର ମେଳକ ଓ ଗଣତି କରିଥିଲେ।
କଷଟି ପଥର, ଲେନ୍ସ ଓ ଓଜନ ମେସିନ୍ ସହିତ ଟିମ୍ ଭିତରକୁ ପ୍ରବେଶ କରିଥିଲେ।ଯାଞ୍ଚ ପରେ ସମସ୍ତ ଅଧିକୃତ ସଦସ୍ୟଙ୍କୁ ବାହାର କରାଯାଇଥିଲା। ଗଣତି ସମୟରେ ଭିତର କାଠ ଦର୍ଶନ ବନ୍ଦ ରହିଥିବା ବେଳେ, ଭକ୍ତମାନେ ବାହାର କାଠରୁ ଦର୍ଶନ କରିଥିଲେ। ଭକ୍ତଙ୍କ ଆବେଗ ଓ ସରକାରଙ୍କ ଉଦ୍ଦେଶ୍ୟ ମଧ୍ୟରେ ଏହି ରତ୍ନ ଅଳଙ୍କାର ମେଳକ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ଦେଖାଯାଉଛି।

