ନ୍ୟୁଜ ଡେକ୍ସ : ଆସନ୍ତା ମେ ମାସ ୫ ତାରିଖରୁ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (CPET) ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମେ ୫ରୁ ମେ ୧୮, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମର ୩୧,୯୧୫ଟି ସିଟ୍ ପାଇଁ ମୋଟ ୫୮,୭୦୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।
ଫେବୃଆରୀ ୨୭ରୁ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଚାଲିଥିଲା।ଆବେଦନକାରୀମାନଙ୍କ ତଥ୍ୟ ମାର୍ଚ୍ଚ ୨୬ ତାରିଖରେ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ (SSB)କୁ ପ୍ରଦାନ କରାଯିବ। ଏପ୍ରିଲ ୩୦ ତାରିଖରୁ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ କାର୍ଡ ଉପଲବ୍ଧ ହେବ।
ଛାତ୍ରଛାତ୍ରୀମାନେ SSB ର ଅଧିକୃତ ୱେବସାଇଟକୁ ଯାଇ ନିଜ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।ସ୍ନାତକୋତ୍ତର ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଛାତ୍ରଛାତ୍ରୀଙ୍କ ଚୟନ CPET ପରୀକ୍ଷାର ମାର୍କ ଆଧାରରେ କରାଯିବ। ଏହା ସହିତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ଯେ ଜୁଲାଇ ୧୦, ୨୦୨୬ ମଧ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଯିବ।

