ନ୍ୟୁଜ ଡେକ୍ସ : ୫୬ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ରେ ବିଶ୍ୱ ପ୍ରିମିୟର ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ବିନ୍ଦୁସାଗର’ ଏବେ ସିନେମା ହଲରେ ମୁକ୍ତି ପାଇବାକୁ ପ୍ରସ୍ତୁତ। ପ୍ରଥମେ ଏପ୍ରିଲ ୧୦ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ତାରିଖ ପରିବର୍ତ୍ତନ କରାଯାଇ ଏବେ ୧୭ ଏପ୍ରିଲ ୨୦୨୬ରେ ମୁକ୍ତି ପାଇବ।
ଅଭିନେତ୍ରୀ ପ୍ରକୃତି ମିଶ୍ର ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରି କହିଛନ୍ତି ଯେ ଫିଲ୍ମଟି ବିଶ୍ୱବ୍ୟାପୀ ଭାବେ ଥିଏଟରରେ ରିଲିଜ ହେବ। ଫିଲ୍ମରେ ନୂଆ ଓ ପୁରୁଣା ପିଢ଼ିର କଳାକାରଙ୍କ ଏକ ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିଛି।ଏହି ଫିଲ୍ମକୁ ଅଭିଷେକ ସ୍ୱାଇଁ ନିର୍ଦ୍ଦେଶନା କରିଥିବାବେଳେ ଅଭିଷେକ ଦାସ କାହାଣୀ ଲେଖିଛନ୍ତି। ଶୀଲାଦିତ୍ୟ ବୋରା, ବିନୟ ରେଡ୍ଡି ଓ ଶୁଭ ଶେଖର ଏହାର ପ୍ରଯୋଜନା କରିଛନ୍ତି। ଫିଲ୍ମରେ ପ୍ରକୃତି ମିଶ୍ର ଓ ଦ୍ୱିପାନ୍ୱୀତ ହାସମହାପାତ୍ର ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିବେ।
ସେହିପରି ସୋନାଲି ସର୍ମିଷ୍ଠା, ସତ୍ୟ ରଞ୍ଜନ, ରୋବିନ ଦାସ, କିଶୋର ସ୍ୱାଇଁ, ଜଗନ୍ନାଥ ସେଠ, ମନୋଜ, ପ୍ରଣବ ପ୍ରସନ୍ନ ରଥ, ସୁକାନ୍ତ ରଥ ଓ ମମତା ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି।ଫିଲ୍ମର କାହାଣୀ ଜଣେ ପ୍ରବାସୀ ଭାରତୀୟ ଯୁବତୀଙ୍କ ଜୀବନ ଯାତ୍ରାକୁ କେନ୍ଦ୍ର କରି ରଚିତ। ସେ ନିଜ ମୂଳ ସହିତ ପୁନଃ ସଂଯୋଗ ସ୍ଥାପନ କରିବା ପାଇଁ ଭୁବନେଶ୍ବରକୁ ଆସିଥାଏ ଏବଂ ଏଠାରେ ଜଣେ ଶୋକାକୁଳ ପିତାଙ୍କ ସହିତ ତାଙ୍କର ଭେଟ ହୁଏ।
ଏହି ସାକ୍ଷାତ୍କାର ତାଙ୍କୁ ନିଜକୁ ପୁନଃ ଆବିଷ୍କାର କରିବାର ଏକ ନୂତନ ଯାତ୍ରାରେ ନେଇଯାଏ।ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ ଭୁବନେଶ୍ବର ସହରକୁ ପୃଷ୍ଠଭୂମି କରି ତିଆରି ହୋଇଥିବା ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଯାଉଛି।

