ନ୍ୟୁଜ ଡେକ୍ସ : ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଶନିବାର ସକାଳୁ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ସକାଳ ୭ଟା ସମୟରେ ଶ୍ରୀଜୀଉଙ୍କ ଦର୍ଶନ କରି ନିଜ ଆନନ୍ଦ ବ୍ୟକ୍ତ କରିଥିଲେ।ମାର୍ଚ୍ଚ ୨୭ ରୁ ୨୯ ପର୍ଯ୍ୟନ୍ତ ତିନି ଦିନିଆ ଗସ୍ତରେ ଆସିଥିବା ଜେନେରାଲ ଦ୍ୱିବେଦୀ ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।
ସେଠାରୁ ସେ ସିଧା ୧୨୦ ପଦାତିକ ବାଟାଲିୟନ (ଟେରିଟୋରିଆଲ୍ ଆର୍ମି) କୁ ଯାଇ ରାତ୍ରିଯାପନ କରିଥିଲେ। ଏହାସହ ସେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଭେଟିଥିବା ସୂଚନା ମିଳିଛି।ଆଜି ସକାଳେ ସେ ପୁରୀ ଯାଇ ସୈନିକ ସଦନରେ ରହିବା ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ସେ ତାଳବଣିଆ ହେଲିପ୍ୟାଡ୍ ମାର୍ଗରେ ଗୋପାଳପୁରର ସାମରିକ ଷ୍ଟେସନକୁ ଯିବେ।
ଗୋପାଳପୁରରେ ସେ ଆର୍ମି ଏୟାର ଡିଫେନ୍ସ କଲେଜରେ ସେନା ତାଲିମ ବ୍ୟବସ୍ଥାର ସମୀକ୍ଷା କରିବେ ଏବଂ ଅଧିକାରୀ ଓ ପୂର୍ବତନ ସୈନିକମାନଙ୍କ ସହ ଭାବ ବିନିମୟ କରିବେ। ସେଠାରେ ଫିଲ୍ଡ ଫାୟାରିଂ ରେଞ୍ଜରେ ଲାଇଭ୍ ଫାୟାରିଂ ଓ ବିଭିନ୍ନ ସାମରିକ ଉପକରଣ ପ୍ରଦର୍ଶନ ମଧ୍ୟ ଦେଖିବେ।ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମାର୍ଚ୍ଚ ୨୯ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ ସମାପ୍ତ କରି ସମସ୍ତ କାର୍ଯ୍ୟକ୍ରମ ଶେଷ ପରେ ନୂଆଦିଲ୍ଲୀକୁ ଫେରିଯିବେ।

