Thu. Apr 16th, 2026

ନ୍ୟୁଜ ଡେକ୍ସ : ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଓ ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ବିଶ୍ୱ ତୈଳ ଓ ଗ୍ୟାସ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିଥିବାବେଳେ ଦେଶ ଇନ୍ଧନ ସଙ୍କଟ ଦିଗରେ ଅଗ୍ରସର ହେଉଛି। ଏହି ପରିସ୍ଥିତିକୁ ମୁକାବିଲା ପାଇଁ ଭାରତ ସରକାର ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।ସରକାର ସମସ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ କିରୋସିନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପେଟ୍ରୋଲିୟମ ସୁରକ୍ଷା ଏବଂ ଲାଇସେନ୍ସିଂ ସମ୍ବନ୍ଧୀୟ କିଛି ନିୟମକୁ ଅସ୍ଥାୟୀ ଭାବରେ କୋହଳ କରିଛନ୍ତି।

ବିଶ୍ୱ ଭୂରାଜନୈତିକ ପରିସ୍ଥିତି ଯୋଗୁଁ ଶକ୍ତି ଯୋଗାଣରେ ଅସୁବିଧା ଦେଖାଦେବାରୁ ଏହି ନିଷ୍ପତ୍ତି ଗ୍ରହଣ ହୋଇଛି ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଏଲପିଜି ଯୋଗାଣ ଉପରେ ଚାପ ବଢ଼ିବା ପରେ, ବିକଳ୍ପ ରୋଷେଇ ଇନ୍ଧନ ଭାବରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ୪୮୦୦୦ କିଲୋଲିଟର କିରୋସିନ ଆବଣ୍ଟନ କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଜିଲ୍ଲାସ୍ତରରେ ବଣ୍ଟନ କେନ୍ଦ୍ର ଚିହ୍ନଟ କରିବା ସହ ରାସନ ଦୋକାନ କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନ ମାଧ୍ୟମରେ ଏହା ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହାସହିତ, ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ଅଧୀନରେ କିରୋସିନ ଉପଲବ୍ଧତାକୁ ସହଜ କରିବା ପାଇଁ ମଧ୍ୟ ସରକାର ଉଦ୍ୟମ ନେଇଛନ୍ତି। ପେଟ୍ରୋଲିୟମ ଆଇନ ୧୯୩୪ ଏବଂ ପେଟ୍ରୋଲିୟମ ନିୟମ ୨୦୦୨ ଅଧୀନରେ ମିଳିଥିବା କ୍ଷମତାକୁ ବ୍ୟବହାର କରି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିୟମକୁ ଅସ୍ଥାୟୀ ଭାବରେ କୋହଳ କରାଯାଇଛି।

ବର୍ତ୍ତମାନର ପରିସ୍ଥିତିରେ ଅଭାବୀ ପରିବାରମାନେ ରୋଷେଇ ଓ ଆଲୋକ ପାଇଁ କିରୋସିନ ଉପରେ ନିର୍ଭରଶୀଳ ଥିବାରୁ ସେମାନଙ୍କୁ ନିରନ୍ତର ଯୋଗାଣ ଦେବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ରହିଛି।ତଥାପି, ଏହି ଯୋଜନାକୁ କାମକରାଇବା ନେଇ କିଛି ରାଜ୍ୟ ପକ୍ଷରୁ ଆଗ୍ରହ କମ୍ ଦେଖାଯାଇଥିବା ଜଣାପଡ଼ିଛି, ଯାହା ଆଗାମୀ ଦିନରେ କାର୍ଯ୍ୟନ୍ୱୟନକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *