ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଅବ୍ୟାହତ ରହିଛି । ଏହାର ଆଜି ୩୨ତମ ଦିନ ଥିବାବେଳେ, ଉଭୟ ପକ୍ଷର ଆକ୍ରମଣ ଓ ପ୍ରତ୍ୟାକ୍ରମଣ ଜାରି ରହିଛି । ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ, ଇରାନ ମଧ୍ୟପ୍ରାଚ୍ୟରେ ଆମେରିକାର ସହଯୋଗୀ ଦେଶଗୁଡ଼ିକୁ ଲକ୍ଷ୍ୟ କରୁଛି ।
ସମ୍ପ୍ରତି ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ବନ୍ଦର ନିକଟରେ ଥିବା ଏକ କୁୱେତ ତୈଳ ଟ୍ୟାଙ୍କର୍ ଉପରେ ଇରାନ ଆକ୍ରମଣ କରିଛି । ଆକ୍ରମଣ ପରେ ଟ୍ୟାଙ୍କର୍ରେ ଭୟଙ୍କର ନିଆଁ ଲାଗିଥିଲା ଏବଂ ତେଲ ଛିଟିଯାଇଥିଲା । କୁୱେତ ପେଟ୍ରୋଲିୟମ୍ କର୍ପୋରେସନ୍ ଅନୁସାରେ, ଟ୍ୟାଙ୍କର୍ରେ ଥିବା ସମସ୍ତ ୨୪ ଜଣ କର୍ମଚାରୀ ସୁରକ୍ଷିତ ଅଛନ୍ତି ଏବଂ କେହି ଆହତ ହୋଇନାହାଁନ୍ତି ।ଅନ୍ୟପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହ ଯୁଦ୍ଧବିରତି ପାଇଁ ପରୋକ୍ଷ ଆଲୋଚନା ଚାଲିଛି । ତଥାପି, ସେ ଇରାନର ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ କରି ତୈଳ ଜବତ କରିବା ସହ ଇରାନର ପାୱାର ପ୍ଲାଣ୍ଟଗୁଡ଼ିକୁ ନଷ୍ଟ କରିବାକୁ ଧମକ ଦେଇଛନ୍ତି ।
ଇରାନ ପକ୍ଷରୁ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟ ଜାରି ରହିଛି । ସୋମବାର ଦିନ କୁୱେତର ଏକ ବିଦ୍ୟୁତ୍ ଓ ଜଳ ଡିସାଲିନେସନ୍ ପ୍ଲାଣ୍ଟ ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ପ୍ଲାଣ୍ଟର ଗଠନାତ୍ମକ କ୍ଷତି ମଧ୍ୟ ହୋଇଛି ।ଏହି ଘଟଣା ପରେ କୁୱେତରେ ଥିବା ଭାରତୀୟ ଦୂତାବାସ ଶୋକ ପ୍ରକାଶ କରିଥିବା ବେଳେ, ପୀଡ଼ିତ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ କୁହିଛି । ଯୁଦ୍ଧ ଜାରି ରହିଥିବାରୁ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି ।

