Fri. Apr 17th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆଜି ଖରିଫ୍ ଧାନ କିଣାର ଶେଷ ଦିନ ଥିବାବେଳେ ଏପର୍ଯ୍ୟନ୍ତ ଲକ୍ଷାଧିକ ଚାଷୀ ନିଜ ଧାନ ବିକ୍ରି କରିପାରିନଥିବାରୁ ଚିନ୍ତା ବଢ଼ିଛି । ବିଭିନ୍ନ ଅଞ୍ଚଳରେ ଚାଷୀମାନେ ମଣ୍ଡି ସାମ୍ନାରେ ଧାରଣା ଦେଇଥିବା ସହ କେଉଁଠି ରାସ୍ତାରୋକ କରୁଛନ୍ତି । ତଥାପି ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପ୍ରୟୋଜନୀୟ ପଦକ୍ଷେପ ନ ନିଆଯାଇଥିବା ଅଭିଯୋଗ ହେଉଛି ।ଫୁଡ୍ ଓଡ଼ିଶା ପୋର୍ଟାଲ ଅନୁସାରେ ରାଜ୍ୟରେ ୧୯ ଲକ୍ଷ ୨୭ ହଜାର ୫୨୮ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିଲେ ।

ସେଥି ମଧ୍ୟରୁ ସୋମବାର ସୁଦ୍ଧା ୧୭ ଲକ୍ଷ ୮୪ ହଜାର ୫୮୨ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ତେବେ ଚାଷୀଙ୍କ ପାଖରେ ଏପର୍ଯ୍ୟନ୍ତ ପ୍ରାୟ ୩୨ ଲକ୍ଷ ମେଟ୍ରିକ ଟନ୍ ଧାନ ଅବିକ୍ରିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି ।ଏହି ପରିସ୍ଥିତିକୁ ଦେଖି ରାଜ୍ୟ କିଷାନ କଂଗ୍ରେସ, ନବନିର୍ମାଣ କୃଷକ ସଙ୍ଗଠନ ସମେତ ବିଭିନ୍ନ ଚାଷୀ ସଙ୍ଗଠନ ଧାନ କିଣା ସମୟ ସୀମା ବଢ଼ାଇବାକୁ ଦାବି କରିଛନ୍ତି । ଅଖିଳ ଭାରତ କିଷାନ କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ କହିଛନ୍ତି, ଏପରି ସ୍ଥିତିରେ ଚାଷୀମାନେ ନିଜ ଧାନ କେମିତି ବିକ୍ରି କରିବେ ବୋଲି ପ୍ରଶ୍ନ ଉଠିଛି । ସେ ରବି ଧାନ ପଞ୍ଜିକରଣ ସମୟକୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଧ୍ୟ ଦାବି କରିଛନ୍ତି । ଅନ୍ୟପଟେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ଏପର୍ଯ୍ୟନ୍ତ ୭୬ ଲକ୍ଷ ୮୪ ହଜାର ୪୯୫ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି ଏବଂ ୧୮ ଲକ୍ଷ ୫୫ ହଜାର ୫୩୯ ଜଣ ଚାଷୀଙ୍କୁ ୨୨୪୮୦ କୋଟି ଟଙ୍କା ଦିଆଯାଇଛି ।

ସରକାରଙ୍କ ଲକ୍ଷ୍ୟ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବା ଥିବା ବେଳେ ଶେଷ ଦିନରେ ଶୀଘ୍ର କାର୍ଯ୍ୟ ସାରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ମନ୍ତ୍ରୀ ଆଶ୍ୱାସନ ଦେଇଥିବାବେଳେ, ଆବଶ୍ୟକ ହେଲେ ଧାନ କିଣା ସମୟକୁ ଦିନେ କିମ୍ବା ଦୁଇ ଦିନ ବଢ଼ାଯାଇପାରେ ବୋଲି ସେ କହିଛନ୍ତି । ତଥାପି ଚାଷୀମାନଙ୍କ ମଧ୍ୟରେ ଅନିଶ୍ଚିତତା ଜାରି ରହିଛି ।

Leave a Reply

Your email address will not be published. Required fields are marked *