ନ୍ୟୁଜ ଡେକ୍ସ : ରାଜ୍ୟରେ ପ୍ରଥମଥର ପାଇଁ ଡିଜିଟାଲ ପଦ୍ଧତିରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ହିଁ ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ସମ୍ପନ୍ନ ହୋଇଥିବା ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ। ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଲ ମାଧ୍ୟମରେ ଚାଲିଥିବା ସେ ସ୍ପଷ୍ଟ କରିଛନ୍ତି।ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବା ପାଇଁ ମୁଖ୍ୟ ଶାସନ ସଚିବ ଅପିଲ କରିଛନ୍ତି।
ଏହା ସହ ଜନଗଣନା କାର୍ଯ୍ୟର ସୁଚାରୁ ପରିଚାଳନା ଓ ଅଗ୍ରଗତି ନେଇ ତାଙ୍କ ଅଧ୍ୟକ୍ଷତାରେ ଜନଗଣନା ସମନ୍ୱୟ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଜନଗଣନା ପ୍ରକ୍ରିୟାକୁ କିପରି ସୁରୁଖୁରୁରେ ସମ୍ପନ୍ନ କରାଯିବ ସେନେଇ ଆଲୋଚନା କରିଛନ୍ତି।ସୂଚନାଯୋଗ୍ୟ, ୨୦୧୧ ମସିହାରେ ଶେଷଥର ପାଇଁ ଜନଗଣନା ହୋଇଥିଲା।
ଦୀର୍ଘ ୧୫ ବର୍ଷ ପରେ ପୁଣିଥରେ ଦେଶରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ କେବଳ ନାଗରିକଙ୍କ ସଂଖ୍ୟା ନୁହେଁ, ସେମାନଙ୍କ ସମ୍ପର୍କିତ ୩୩ଟି ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ଓଡିଶାରେ ଏହି ପ୍ରକ୍ରିୟା ରାଜ୍ୟପାଳଙ୍କୁ ନେଇ ଆରମ୍ଭ ହୋଇଛି। ରାଜ୍ୟର ପ୍ରଥମ ନାଗରିକ ଭାବେ ରାଜ୍ୟପାଳ ହରିବାବୁ କମ୍ଭମପାଟି ସ୍ୱଗଣନା କରାଇ ଏହାର ଶୁଭାରମ୍ଭ କରିଛନ୍ତି।

