ନ୍ୟୁଜ ଡେକ୍ସ : ରାଜ୍ୟରେ ଧିରେ ଧିରେ ତାତିର ପ୍ରକୋପ ବଢୁଥିବା ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ପାଇଁ ସକାଳୁଆ କ୍ଲାସ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ସକାଳ ସାଢ଼େ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେବ।ଏହି ସକାଳୁଆ ସ୍କୁଲ ବ୍ୟବସ୍ଥା ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି।
ଏନେଇ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗଣଶିକ୍ଷା ସଚିବ ଏନ୍ ତିରୁମାଳା ନାଏକ ଏହି ସୂଚନା ଦେଇଛନ୍ତି।ଗ୍ରୀଷ୍ମପ୍ରବାହକୁ ମୁକାବିଲା କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅନେକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ବିଦ୍ୟାଳୟରେ ପ୍ରଚୁର ପାନୀୟ ଜଳ ବ୍ୟବସ୍ଥା କରିବା ସହିତ ଓଆରଏସ୍ ପ୍ୟାକେଟ୍ ମହଜୁଦ ରଖିବାକୁ କୁହାଯାଇଛି।ଏହା ସହିତ ଖରା ସମୟରେ ବିଦ୍ୟାଳୟ ବାହାରର କାର୍ଯ୍ୟକ୍ରମକୁ ସୀମିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଲକ୍ଷ୍ୟ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

