ନ୍ୟୁଜ ଡେକ୍ସ : ଆଜି ପବିତ୍ର ଗୁଡ୍ ଫ୍ରାଇଡେ ଅବସରରେ ସାରା ରାଜ୍ୟ ଓ ଦେଶରେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଗଭୀର ଶ୍ରଦ୍ଧା ଓ ଭକ୍ତିଭାବରେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ସ୍ମରଣ କରୁଛନ୍ତି। ଇଷ୍ଟର ସଣ୍ଡେ ପୂର୍ବରୁ ଆସୁଥିବା ଶୁକ୍ରବାରକୁ ଗୁଡ୍ ଫ୍ରାଇଡେ ବୋଲି ପାଳନ କରାଯାଏ। ଏହି ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢ଼ାଯାଇଥିବାରୁ ଏହା ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଓ ଶୋକର ଦିନ ଭାବେ ପରିଚିତ।ଧାର୍ମିକ ବିଶ୍ୱାସ ଅନୁଯାୟୀ, ପ୍ରଭୁ ଯୀଶୁ ମାନବଜାତିର ପାପ ପାଇଁ ନିଜକୁ ବଳିଦାନ ଦେଇଥିଲେ।
ସେ ସମସ୍ତଙ୍କ ପାଇଁ ଅସୀମ କଷ୍ଟ ସହିଥିଲେ, ଯାହା ଦ୍ୱାରା ମଣିଷ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ସନ୍ନିକଟ ହୋଇପାରିବ। ଯୀଶୁଙ୍କ ଏହି ତ୍ୟାଗ ଓ ପ୍ରେମକୁ ମନେ ପକାଇ ଏହି ଦିନଟିକୁ ‘ଗୁଡ୍’ ବା ‘ଶୁଭ’ ଭାବରେ କୁହାଯାଏ, କାରଣ ତାଙ୍କର ବଳିଦାନ ମାନବଜାତି ପାଇଁ ଉଦ୍ଧାରର ପଥ ଖୋଲିଥିଲା।ବାଇବଲ ଅନୁସାରେ, ପ୍ରଭୁ ଯୀଶୁଙ୍କୁ ଅନ୍ୟାୟଭାବେ ବିଚାର କରାଯାଇଥିଲା ଏବଂ ତାଙ୍କୁ ଚାବୁକରେ ପିଟାଯାଇଥିଲା। ପରେ କଣ୍ଟାର ମୁକୁଟ ପିନ୍ଧାଇ କ୍ରୁଶ ଉପରେ ତାଙ୍କୁ ବିଦ୍ଧ କରାଯାଇଥିଲା। କୁହାଯାଏ ଯେ ସେହି ସମୟରେ ପୃଥିବୀରେ ଅନ୍ଧାର ଛାଇଯାଇଥିଲା, ଯାହା ଏହି ଦୁଃଖଦ ଘଟଣାକୁ ପ୍ରତିଫଳିତ କରିଥିଲା। ଏହି ପବିତ୍ର ଦିନରେ ଭକ୍ତମାନେ ଉପବାସ ରଖନ୍ତି ଓ ଆମିଷ ଖାଦ୍ୟରୁ ବିରତ ରହନ୍ତି।
ବିଭିନ୍ନ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା ସଭା ଆୟୋଜିତ ହେଉଛି, ଯେଉଁଠାରେ ଯୀଶୁଙ୍କ ଯନ୍ତ୍ରଣା ଓ ବଳିଦାନକୁ ସ୍ମରଣ କରାଯାଉଛି। ଅନେକ ସ୍ଥାନରେ ଯୀଶୁଙ୍କ କ୍ରୁଶ ଯାତ୍ରାକୁ ନାଟ୍ୟ ରୂପରେ ପ୍ରଦର୍ଶନ କରାଯାଇ, ଭକ୍ତମାନଙ୍କୁ ସେହି ଐତିହାସିକ ଘଟଣା ସହ ଜଡିତ କରାଯାଉଛି।ଗୁଡ୍ ଫ୍ରାଇଡେ ହେଉଛି ନିରବତା, ପଶ୍ଚାତାପ ଓ ଆତ୍ମ-ପର୍ଯ୍ୟାଲୋଚନାର ଦିନ। ଏହି ଦିନ ମଣିଷକୁ ନିଜ ଜୀବନକୁ ଆଲୋକିତ କରିବା, ପାପରୁ ଦୂରେଇ ଭଲପାଇବା ଓ ମାନବତାର ପଥରେ ଚାଲିବାର ପ୍ରେରଣା ଦେଇଥାଏ।

