ନ୍ୟୁଜ ଡେକ୍ସ : ଖୁବଶୀଘ୍ର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହେବାକୁ ଯାଉଛି। ଏପର୍ଯ୍ୟନ୍ତ ଝାରସୁଗୁଡ଼ାରୁ କେବଳ ସଡକ ଓ ରେଳପଥ ମାଧ୍ୟମରେ ସାମଗ୍ରୀ ପରିବହନ ସମ୍ଭବ ଥିବା ବେଳେ, ଏହି ନୂଆ ସେବା ଆରମ୍ଭ ହେଲେ ସିଧାସଳଖ ଦେଶ ଓ ବିଦେଶକୁ ସାମଗ୍ରୀ ପଠାଇବା ସହଜ ହେବ।ଝାରସୁଗୁଡ଼ା ବିମାନବନ୍ଦରରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସେବା ଆରମ୍ଭ ପାଇଁ ଆଲୋଚନା ହୋଇଛି।
ବିମାନବନ୍ଦର ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ କ୍ଷୁଦ୍ର ଏୟାର କାର୍ଗୋ ସେବା ଆରମ୍ଭ ହେବ ଏବଂ ପରବର୍ତ୍ତୀକାଳରେ ଆବଶ୍ୟକତା ଅନୁଯାୟୀ ବୃହତ କାର୍ଗୋ ପରିବହନ ବ୍ୟବସ୍ଥା କରାଯିବ।ବର୍ତ୍ତମାନ ଭୁବନେଶ୍ୱର ଓ ନାଗପୁର ପରେ ଅନ୍ୟ କୌଣସି ବିମାନବନ୍ଦରରେ କାର୍ଗୋ ସେବା ସୁବିଧା ନଥିବାରୁ, ଝାରସୁଗୁଡ଼ାରେ ଏହି ସେବା ଆରମ୍ଭ ହେବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଏହା ଦ୍ୱାରା ଜିଲ୍ଲାରେ ପାୱାର ପ୍ଲାଣ୍ଟ ବାହାରେ ଅନ୍ୟ ଶିଳ୍ପର ବିକାଶ ସମ୍ଭାବନା ବଢିବ।
ବ୍ୟବସାୟିକ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଏୟାର କାର୍ଗୋ ସେବା ଆରମ୍ଭ ହେଲେ ଦାମିକା ଓ ଆବଶ୍ୟକ ସାମଗ୍ରୀର ପରିବହନ ଖର୍ଚ୍ଚ କମିବ। ବିଶେଷ କରି ଖୁବ୍ ଶୀଘ୍ର ନଷ୍ଟ ହେଉଥିବା ସାମଗ୍ରୀକୁ ଦ୍ରୁତ ଗତିରେ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବାରେ ଏହା ବହୁତ ସହାୟକ ହେବ।ଏହି ପଦକ୍ଷେପ ଦ୍ୱାରା ଝାରସୁଗୁଡ଼ା ସହ ପଶ୍ଚିମ ଓଡ଼ିଶାରେ ନିବେଶ ଓ ବ୍ୟବସାୟ ବୃଦ୍ଧି ପାଇବା ସହ ଅର୍ଥନୈତିକ କ୍ରିୟାକଳାପ ତ୍ୱରାନ୍ବିତ ହେବ ବୋଲି ଆଶା କରାଯାଉଛି।

