Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରସ୍ତାବଗୁଡିକ ୫ଟି ବିଭାଗ ସହିତ ସମ୍ବନ୍ଧିତ ଥିବାବେଳେ ଜଳ ସମ୍ପଦ, ପରିବହନ ଓ ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି।ସବୁଠାରୁ ଆକର୍ଷଣୀୟ ନିଷ୍ପତ୍ତି ଭାବେ ୩୪୦୦ କୋଟି ଟଙ୍କାର ‘ଅଟଳ ବସଷ୍ଟାଣ୍ଡ ଯୋଜନା’କୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ଯୋଜନା ଅଧୀନରେ ରାଜ୍ୟର ୩୧୮ଟି ବସଷ୍ଟାଣ୍ଡର ଆଧୁନିକୀକରଣ ଓ ଉନ୍ନତୀକରଣ କରାଯିବ।

ଓଏସଆରଟିସି ସମନ୍ୱୟରେ ଏହାକୁ କାର୍ଯ୍ୟକାରୀ କରାଯିବ ଓ ଯାତ୍ରୀ ସୁବିଧା ବୃଦ୍ଧି ସହିତ ପରିବହନ ବ୍ୟବସ୍ଥାକୁ ଆଧୁନିକ କରିବାରେ ଏହା ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।ଏହା ସହିତ ଜଳ ସମ୍ପଦ ବିଭାଗର ୫ଟି ମୁଖ୍ୟ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଦ୍ୱାରା ସମ୍ବଲପୁରରେ ପ୍ରାୟ ୬୨୧୦ ହେକ୍ଟର ଜମି ଜଳସେଚିତ ହେବ ଓ ୧୪ଟି ଗାଁ ଉପକୃତ ହେବେ। ସେହିପରି କଟକର ହାଡୁଆ ପ୍ରକଳ୍ପ, ସୋନପୁରର ତେଲ ନଦୀ କ୍ଲଷ୍ଟର, ଯାଜପୁରର ଖରାସୁଆ-ବ୍ରାହ୍ମଣୀ ପ୍ରକଳ୍ପ ଓ କେନ୍ଦୁଝରର ବିଭିନ୍ନ କ୍ଲଷ୍ଟର ପ୍ରକଳ୍ପ ମାଧ୍ୟମରେ ହଜାର ହେକ୍ଟର ଜମିକୁ ପାଣି ଯୋଗାଣ ହେବ।

ଅନ୍ୟପଟେ କେନ୍ଦୁଝରରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନୂଆ 2×500 MVA ସବ୍-ଷ୍ଟେସନ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଛି, ଯାହା ୩ ବର୍ଷ ମଧ୍ୟରେ ସମାପ୍ତ ହେବ। ଏହା ଦ୍ୱାରା ଶକ୍ତି ଯୋଗାଣ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।ଏହା ସହିତ ଶ୍ରମ ବିଭାଗର ୩ଟି ପ୍ରସ୍ତାବ ମଧ୍ୟ ପାରିତ ହୋଇଛି, ଯେଉଁଥିରେ ଚାକିରୀ ସର୍ତ୍ତ ସଂଶୋଧନ ଓ କ୍ୟାଡର ନିୟମ ପରିବର୍ତ୍ତନ ସମ୍ମିଳିତ ଅଛି।ମୋଟକଥା, ଆଜିର କ୍ୟାବିନେଟ ବୈଠକରେ ପରିବହନ, ଜଳସେଚନ ଓ ଗ୍ରାମ୍ୟ ଉନ୍ନତିକୁ ଗତି ଦେବା ପାଇଁ ଅନେକ ଦୂରଦୃଷ୍ଟିମୂଳକ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *