Thu. Apr 16th, 2026

ନ୍ୟୁଜ ଡେକ୍ସ : ନାସାର ଆର୍ଟେମିସ୍-୨ ମିଶନ୍ ସଫଳତାର ସହ ସମାପ୍ତ ହୋଇଛି। ଏପ୍ରିଲ୍ ୧୧ ତାରିଖ ସକାଳ ୫:୩୭ ସମୟରେ ଆମେରିକାର ସାନ ଡିଏଗୋ ଉପକୂଳରେ ଓରିଅନ୍ ମହାକାଶଯାନ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଅବତରଣ କରିଛି। ଏହା ସହିତ ଚନ୍ଦ୍ର ପରିକ୍ରମା ପରେ ଆର୍ଟେମିସ୍-୨ ମିଶନ୍ ପୃଥିବୀକୁ ସଫଳ ଫେରାର ନୂଆ ଅଧ୍ୟାୟ ଲେଖିଛି।ଏହି ମିଶନ୍‌ରେ ଯୋଗ ଦେଇଥିବା ଚାରି ମହାକାଶଚାରୀ ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଆସିଛନ୍ତି।

କମାଣ୍ଡର ରିଡ୍ ୱାଇଜମ୍ୟାନ୍, ପାଇଲଟ୍ ଭିକ୍ଟର ଗ୍ଲୋଭର, ମିଶନ ବିଶେଷଜ୍ଞ କ୍ରିଷ୍ଟିନା କୋଚ୍ ଏବଂ କାନାଡିଆନ୍ ମହାକାଶଚାରୀ ଜେରେମି ହାନସନ୍ ଚନ୍ଦ୍ରକୁ ସଫଳତାର ସହ ପରିକ୍ରମା କରିଥିଲେ।୧୯୭୨ ପରେ ଏହା ପ୍ରଥମ ମାନବ ଚନ୍ଦ୍ର ଅଭିଯାନ ଭାବେ ଇତିହାସ ସୃଷ୍ଟି କରିଛି। ୫୪ ବର୍ଷ ପରେ ପୁଣିଥରେ ମଣିଷ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିବା ଏହି ମିଶନ୍ ବୈଜ୍ଞାନିକ ମହଳରେ ବିଶେଷ ଗୁରୁତ୍ୱ ଅଧିଗ୍ରହଣ କରିଛି। ଏପ୍ରିଲ୍ ୧ ତାରିଖରେ ଲଞ୍ଚ୍ ହୋଇଥିବା ଏହି ମିଶନ୍ ୧୦ ଦିନ ଧରି ଚାଲିଥିଲା।

ଆର୍ଟେମିସ୍-୨ ଯାତ୍ରା ସମୟରେ ମହାକାଶଚାରୀମାନେ ପୃଥିବୀରୁ ସବୁଠାରୁ ଦୂର ମାନବ ମହାକାଶ ଯାତ୍ରାର ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସେମାନେ ମୋଟ ୨୪୮,୬୫୫ ମାଇଲ ଯାତ୍ରା କରିଥିବା ବେଳେ, ମିଶନ୍‌ର ଶିଖର ସମୟରେ ଦୂରତା ପ୍ରାୟ ୨୫୨,୭୫୬ ମାଇଲ ପହଞ୍ଚିଥିଲା। ଏହା ଆପୋଲୋ ୧୩ ମିଶନ୍‌ର ୫୬ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଦେଇଛି।ଏହି ସଫଳତା ସହ ନାସାର ଭବିଷ୍ୟତ ଚନ୍ଦ୍ର ଅଭିଯାନ ପାଇଁ ନୂଆ ଦ୍ୱାର ଖୋଲିଯାଇଛି ଏବଂ ମାନବ ମହାକାଶ ଅନୁସନ୍ଧାନରେ ଏକ ନୂଆ ମାଇଲସ୍ଟୋନ୍ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *