ନ୍ୟୁଜ ଡେକ୍ସ : ବଲିଉଡ୍ର କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଆଶା ଭୋସଲେଙ୍କର ରବିବାର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ହୃଦଘାତରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଶନିବାର ମୁମ୍ବଇସ୍ଥିତ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ତାଙ୍କର ଦେହାବସାନ ସହିତ ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିତ ଅନେକ ନେତା ଓ ବଲିଉଡ୍ର ବିଭିନ୍ନ ଶିଳ୍ପୀମାନେ ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।୧୯୩୩ ସେପ୍ଟେମ୍ବର ୮ରେ ଜନ୍ମଗ୍ରହଣ କରିଥିବା ଆଶା ଭୋସଲେ ଛୋଟଦିନରୁ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ମାତ୍ର ୯ ବର୍ଷ ବୟସରେ ପିତା ପଣ୍ଡିତ ଦୀନନାଥ ମଙ୍ଗେଶକରଙ୍କ ବିୟୋଗ ହେବା ପରେ ପରିବାରର ଦାୟିତ୍ୱ ତାଙ୍କ ଓ ବଡ ଭଉଣୀ ଲତା ମଙ୍ଗେଶକରଙ୍କ ଉପରେ ପଡିଥିଲା।
୧୯୪୮ ମସିହାରେ ‘ଚୁନରିଆଁ’ ଚଳଚ୍ଚିତ୍ରରୁ ସେ ତାଙ୍କର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ଦିନରେ ଅନେକ ସଂଘର୍ଷ ସତ୍ତ୍ୱେ ସେ ନିଜର ଭିନ୍ନ କଣ୍ଠସ୍ୱର ଓ ପାଶ୍ଚାତ୍ୟ ଶୈଳୀର ସଙ୍ଗୀତ ମାଧ୍ୟମରେ ନିଜକୁ ସ୍ଥାପିତ କରିଥିଲେ।ଦୀର୍ଘ ଆଠ ଦଶନ୍ଧି ଧରି ସେ ସହସ୍ରାଧିକ ଗୀତ ଗାଇଥିବାବେଳେ ‘ଆଓ ହଜୁର ତୁମକୋ’, ‘ପିୟା ତୁ ଅବ୍ ତୁ ଆଜା’, ‘ଦମ୍ ମାରୋ ଦମ୍’, ‘ଚୁରା ଲିୟା ହୈ’, ‘ଇନ୍ ଆଖୋଁ କି ମସ୍ତି’ ପରି ଅନେକ ଗୀତ ଆଜି ବି ଶ୍ରୋତାଙ୍କ ମନରେ ଅମର ରହିଛି।ସେ ଓ.ପି. ନାୟାର, ଏସ.ଡି. ବର୍ମନ, ଆର.ଡି. ବର୍ମନ, ଏ.ଆର. ରେହମାନ ଓ ଇଲାୟାରାଜା ପରି ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକଙ୍କ ସହ କାମ କରିଥିଲେ।
ହିନ୍ଦୀ ସହ ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ସେ ଶତାଧିକ ଗୀତ ଗାଇଥିଲେ।ତାଙ୍କ କ୍ୟାରିୟରରେ ସେ ସାତଥର ଫିଲ୍ମଫେୟାର ପୁରସ୍କାର, ଦୁଇଥର ଜାତୀୟ ପୁରସ୍କାର, ଦାଦା ସାହେବ ଫାଲ୍କେ ପୁରସ୍କାର ଓ ପଦ୍ମ ବିଭୂଷଣ ସମେତ ଅନେକ ସମ୍ମାନ ଅର୍ଜନ କରିଥିଲେ। ଆଶା ଭୋସଲେଙ୍କ ଅବସାନ ସହ ସଙ୍ଗୀତ ଜଗତ ଏକ ଅମୂଲ୍ୟ ମଣିକ୍ୟକୁ ହରାଇଛି।

