ନ୍ୟୁଜ ଡେକ୍ସ : ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାରେ ବୁଧବାର ଦିନ ଏକ ଭୟାବହ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହିତ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ପୋଲିସ ସୂଚନା ଅନୁଯାୟୀ, ଘଟଣାଟି ଅପରାହ୍ନ ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ଘଟିଥିଲା।
ସେ ସମୟରେ ଘର ଭିତରେ ତେଲେଙ୍ଗାନାର କିଛି ଶ୍ରମିକ ରହୁଥିଲେ। ହଠାତ୍ ଜୋର ଧ୍ୱନି ସହିତ ବିସ୍ଫୋରଣ ଘଟିବାରୁ ଚାରିପାଖରେ ଆତଙ୍କ ଛିଣ୍ଡିଗଲା।ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖାପାଖି ଦୁଇଟି ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି।
ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାର ଦଳ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ପଠାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିସ୍ଫୋରଣର ସଠିକ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

