Sat. Apr 18th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟରେ ଆଜି ଆୟୋଜିତ ହେଉଛି ଫେମିନା ମିସ୍ ଇଣ୍ଡିଆ ୨୦୨୬ର ଗ୍ରାଣ୍ଡ ଫିନାଲେ। ପ୍ରଥମ ଥର ପାଇଁ ଏହି ପ୍ରତିଷ୍ଠିତ ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ଶେଷ ପର୍ଯ୍ୟାୟ ପୂର୍ବ ଭାରତରେ, ଓଡ଼ିଶା ମାଟିରେ ଅନୁଷ୍ଠିତ ହେଉଥିବାରୁ ସମଗ୍ର ରାଜ୍ୟରେ ଉତ୍ସାହ ଓ ଉତ୍ସୁକତା ଦେଖାଯାଉଛି। କିଏ ପିନ୍ଧିବେ ୬୧ତମ ସଂସ୍କରଣର କ୍ରାଉନ, ସେଥିପାଇଁ ଏବେ ସମସ୍ତଙ୍କ ନଜର ଏହି ମହାମଞ୍ଚ ଉପରେ ରହିଛି।

ଗ୍ରାଣ୍ଡ ଫିନାଲେ ପୂର୍ବରୁ କିଟ୍ କ୍ୟାମ୍ପସରେ ୩୦ ଜଣ ପ୍ରତିଯୋଗୀଙ୍କ ପ୍ରସ୍ତୁତି ଚୂଡ଼ାନ୍ତ ଅବସ୍ଥାକୁ ପହଞ୍ଚିଛି। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଏହି ସୁନ୍ଦରୀମାନେ ଏପ୍ରିଲ ୧୨ ତାରିଖରୁ ଭୁବନେଶ୍ୱରରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ସେମାନଙ୍କୁ ପାରମ୍ପରିକ ଓଡ଼ିଆ ରୀତିନୀତିରେ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରୁ କିଟ୍ କ୍ୟାମ୍ପସ ପର୍ଯ୍ୟନ୍ତ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା। ସପ୍ତାହ ବ୍ୟାପୀ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ପୁରୀ, କୋଣାର୍କ, ଚନ୍ଦ୍ରଭାଗା ବେଳାଭୂମି ଓ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ଓଡ଼ିଶାର ସଂସ୍କୃତି, ସ୍ଥାପତ୍ୟ କଳା ଓ ପର୍ଯ୍ୟଟନ ସମ୍ଭାବନାକୁ ନିକଟରୁ ଅନୁଭବ କରିଛନ୍ତି। ସେଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଯୋଗ ମଧ୍ୟ ରହିଥିଲା।

ଏହା ସହ କିସ୍ ପରିଦର୍ଶନ କରି ସେମାନେ ଜନଜାତି ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇଥିଲେ ଓ ନିଜ ଜୀବନ ସଂଘର୍ଷ ଓ ସ୍ୱପ୍ନ ବିଷୟରେ ଆଲୋଚନା କରିଥିଲେ।ଏହି ଅବସରରେ ନାରୀ ସଶକ୍ତୀକରଣ ଓ ସାମାଜିକ ଦାୟିତ୍ୱବୋଧର ଏକ ସକାରାତ୍ମକ ସନ୍ଦେଶ ମଧ୍ୟ ପ୍ରସାରିତ ହୋଇଛି। ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୪ ବିଜେତା ନିକିତା ପୋଡୱାଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ପ୍ରେରଣା ଦେଇଛନ୍ତି।କିଟ୍ ବିଶ୍ୱବିଦ୍ୟାଳୟ ପାଇଁ ଏହା ଏକ ଗୌରବମୟ ମାଇଲଖୁଣ୍ଟ ହେବା ସହ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତିକୁ ବିଶ୍ୱ ମଞ୍ଚରେ ପରିଚିତ କରାଇବାରେ ବଡ଼ ଭୂମିକା ନେଇଛି।

ଏହି ଆୟୋଜନ ମାଧ୍ୟମରେ ରାଜ୍ୟର ଆତିଥ୍ୟ, ଶିକ୍ଷା ବ୍ୟବସ୍ଥା ଓ ସଂସ୍କୃତିର ଏକ ସୁନ୍ଦର ଚିତ୍ର ଦେଶବାସୀଙ୍କ ଆଗରେ ପ୍ରକାଶିତ ହୋଇଛି। ଆଜିର ଏହି ରଙ୍ଗାରଙ୍ଗ ଗ୍ରାଣ୍ଡ ଫିନାଲେରେ ବହୁ ବଲିଉଡ୍ କଳାକାର, ଫ୍ୟାସନ୍ ଡିଜାଇନର ଓ ବିଚାରକମାନେ ଯୋଗଦେବେ। ଶେଷରେ ଘୋଷଣା ହେବେ ଫେମିନା ମିସ୍ ଇଣ୍ଡିଆ ୨୦୨୬ର ବିଜୟିନୀ, ଯାହାକୁ ନେଇ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା କରୁଛି।

Leave a Reply

Your email address will not be published. Required fields are marked *