Fri. Jun 19th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ଅସହ୍ୟ ତାତି ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଝାରସୁଗୁଡ଼ାରେ ସର୍ବୋଚ୍ଚ ୪୪.୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତାଳଚେରରେ ୪୩.୫ ଡିଗ୍ରୀ ରହିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାରା ୪୦ ଡିଗ୍ରୀ ଉପରେ ରହିଥିବାରୁ ସାଧାରଣ ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି।ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହି ତାତି ଜାରି ରହିବ।

ବିଶେଷ କରି ଟିଟିଲାଗଡ଼, ବଲାଙ୍ଗିର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି। ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧାରୁ ଅଧିକ ଅଞ୍ଚଳ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେବାର ସମ୍ଭାବନା ରହିଛି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଜି ୨୩ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହାସହ ୨୦ ଜିଲ୍ଲାରେ ହିଟ୍ ୱେଭ୍ ସତର୍କତା ମଧ୍ୟ ଜାରି ହୋଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଥିବା ସହ କେତେକ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ମଧ୍ୟ ରହିଛି।

ତିବ୍ର ତାତିର ପ୍ରଭାବରେ ମଧ୍ୟାହ୍ନ ସମୟରେ ରାସ୍ତାଘାଟ ପ୍ରାୟ ଶୂନ୍ୟ ହୋଇଯାଉଛି। ବାହାରକୁ ବାହାରିଲେ ମୁହଁପୋଡ଼ା ଖରା ସହ ଗରମ ପବନ ଲୋକମାନଙ୍କୁ ଅସହ୍ୟ ଲାଗୁଛି। ବାୟୁମଣ୍ଡଳରେ ଆଦ୍ରତା କମ୍ ଥିବାରୁ ଶରୀରରୁ ଅଧିକ ଝାଳ ବୋହିବା ସହ ଅଂଶୁଘାତର ଆଶଙ୍କା ମଧ୍ୟ ବଢ଼ିଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଅତ୍ୟାବଶ୍ୟକ ନ ଥିଲେ ଦିନେ ଘରୁ ବାହାରୁନଥିବାକୁ ଓ ପ୍ରୟାପ୍ତ ପାଣି ପିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *