ନ୍ୟୁଜ ଡେକ୍ସ : ରାଜ୍ୟରେ ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ ଘଟୁଥିବା ସହ ତୀବ୍ର ଖରାରେ କାମ କରିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ବଢ଼ୁଥିବା ପରିପ୍ରେକ୍ଷିତରେ ସରକାର ଏକ ବିସ୍ତୃତ ଏସ୍ଓପି ଜାରି କରିଛନ୍ତି। ରାଜସ୍ୱ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନିୟମାବଳୀରେ କର୍ମଚାରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ମୁଖ୍ୟତ୍ୱ ଦିଆଯାଇଛି।
ଏସ୍ଓପି ଅନୁସାରେ, ଜନଗଣନା କାର୍ଯ୍ୟରେ ଯାଉଥିବା ଗଣନାକାରୀ ଓ ପର୍ଯ୍ୟବେକ୍ଷକମାନେ ନିଜର ସରକାରୀ ପରିଚୟପତ୍ର ପିନ୍ଧିବା ସହ ନିଯୁକ୍ତିପତ୍ର ସହରେ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ତୀବ୍ର ଖରାକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗଣନା କାମ ନ କରିବାକୁ ପରାମର୍ଶ ମିଳିଛି।ଅଂଶୁଘାତରୁ ସୁରକ୍ଷା ପାଇଁ ପ୍ରଚୁର ପାଣି ପିଇବା ସହ ଓଆରଏସ୍ ସାଙ୍ଗରେ ନେବାକୁ କୁହାଯାଇଛି। ଏହା ସହିତ ଜିଲ୍ଲା ପ୍ରଶାସନକୁ କର୍ମଚାରୀଙ୍କୁ ଆବଶ୍ୟକ ଓଆରଏସ୍ ଯୋଗାଇବା ପାଇଁ ନିର୍ଦ୍ଦେଶ ମିଳିଛି।
ସମ୍ବେଦନଶୀଳ ବା ବିବାଦୀୟ ଅଞ୍ଚଳକୁ ଯିବା ସମୟରେ କର୍ମଚାରୀମାନେ ଏକୁଟିଆ ଯିବାକୁ ମନା କରାଯାଇଛି। ସେମାନେ ଦଳବଦ୍ଧ ଭାବେ ଯିବା ସହ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମିଶି କାମ କରିବେ। ଏହି ସ୍ଥାନଗୁଡ଼ିକୁ ଯିବାବେଳେ ପୁଲିସ କର୍ମଚାରୀଙ୍କ ସହଯୋଗ ନିବା ନିୟମରେ ରହିଛି।ତଥାପି, ପର୍ଯ୍ୟବେକ୍ଷକମାନେ ପ୍ରତି ଘଣ୍ଟାରେ ଗଣନାକାରୀଙ୍କ ସହ ସଂଯୋଗ ରଖି ସେମାନଙ୍କ ସ୍ଥିତି ନଜରରେ ରଖିବେ। ଏହା ମାଧ୍ୟମରେ ଜନଗଣନା କାର୍ଯ୍ୟକୁ ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

