Tue. Apr 28th, 2026

ନ୍ୟୁଜ ଡେକ୍ସ : ନୂଆଦିଲ୍ଲୀରେ ରାଜନୀତିକ ପରିବେଶକୁ କମ୍ପିତ କରି ଆମ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଛି । ସାଂସଦ ରାଘବ ଚଡ୍ଡା ଆପ୍‌ରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗଦେଇଛନ୍ତି । ତାଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।ନୂଆଦିଲ୍ଲୀ ସ୍ଥିତ ଦଳ ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ଉପସ୍ଥିତିରେ ଏହି ତିନିଜଣ ସାଂସଦ ଦଳରେ ଯୋଗଦେଇଥିଲେ ।

ଏହି ଘଟଣାକୁ ଆପ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଝଟକା ବୋଲି ଦେଖାଯାଉଛି ।ରାଘବ ଚଡ୍ଡାଙ୍କ କହିବା ଅନୁଯାୟୀ, ଆପ୍‌ର ୧୦ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୭ ଜଣ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପଦକ୍ଷେପ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଆବଶ୍ୟକ ଦୁଇ-ତୃତୀୟାଂଶ ବହୁମତ ପୂରଣ କରୁଛି । ଏହା ଫଳରେ ବିଜେପିର ରାଜ୍ୟସଭାରେ ସଂଖ୍ୟାବଳ ବୃଦ୍ଧି ପାଇବା ସହ ବିଲ୍ ପାସ୍ କରିବାରେ ସୁବିଧା ହେବ ।ଚଡ୍ଡାଙ୍କ ସହ ଅନ୍ୟ ୬ ସାଂସଦ ମଧ୍ୟ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି ।

ସେମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ରାଜିନ୍ଦର ଗୁପ୍ତା ଓ ବିକ୍ରମ ସାହାଣୀ ରହିଛନ୍ତି ।ରାଘବ ଚଡ୍ଡା ନିଜ ନିଷ୍ପତ୍ତି ସମ୍ପର୍କରେ କହିଥିଲେ ଯେ, ସେ ଦଳର କିଛି କାର୍ଯ୍ୟକଳାପ ସହ ଏକମତ ନଥିଲେ ଓ ଏହାର ଅଂଶ ହେବାକୁ ଚାହୁଁନଥିଲେ । ସେ କହିଥିଲେ ଯେ, ରାଜନୀତି ଛାଡିବା କିମ୍ବା ସକାରାତ୍ମକ ରାଜନୀତି ପାଇଁ ନୂତନ ପଥ ବାଛିବା ଏହି ଦୁଇଟି ବିକଳ୍ପ ମଧ୍ୟରୁ ସେ ଦ୍ୱିତୀୟ ପଥକୁ ବାଛିଛନ୍ତି ।ଏହି ରାଜନୀତିକ ପରିବର୍ତ୍ତନ ଦେଶର ରାଜନୀତିରେ ନୂତନ ସମୀକରଣ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *