Sat. Apr 25th, 2026

ନ୍ୟୁଜ ଡେକ୍ସ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ Paytm ପେମେଣ୍ଟସ୍ ବ୍ୟାଙ୍କ ଉପରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି RBI ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସକୁ ରଦ୍ଦ କରିଦେଇଛି । ଏହା ସହିତ Paytm ପେମେଣ୍ଟସ୍ ବ୍ୟାଙ୍କ ଆଗାମୀଦିନରେ କୌଣସି ବ୍ୟାଙ୍କିଂ ସମ୍ବନ୍ଧୀୟ କାର୍ଯ୍ୟକଳାପ କରିପାରିବ ନାହିଁ ।RBI ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ Paytm ପେମେଣ୍ଟସ୍ ବ୍ୟାଙ୍କ ବାରମ୍ବାର ଲାଇସେନ୍ସିଂ ସର୍ତ୍ତାବଳୀ ଉଲ୍ଲଂଘନ କରିଥିଲା, ଯାହା ଗମ୍ଭୀର ନିୟାମକ ଚିନ୍ତା ସୃଷ୍ଟି କରିଥିଲା ।

ଏହା ପରେ RBI କଠୋର ନିଷ୍ପତ୍ତି ନେଇ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି । ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ।RBI ସ୍ପଷ୍ଟ କରିଛି ଯେ ବ୍ୟାଙ୍କରେ ଗ୍ରାହକମାନେ ଜମା କରିଥିବା ଟଙ୍କା ସୁରକ୍ଷିତ ଅଛି ଏବଂ ସେମାନେ ନିଜ ଟଙ୍କା ଫେରି ପାଇପାରିବେ । କିନ୍ତୁ ବ୍ୟାଙ୍କ ଏବେ ନୂତନ କିମ୍ବା ପୁରୁଣା ଗ୍ରାହକଙ୍କୁ କୌଣସି ସାଧାରଣ ବ୍ୟାଙ୍କିଂ ସେବା ପ୍ରଦାନ କରିପାରିବ ନାହିଁ ।ଉଲ୍ଲେଖ୍ୟ ଯେ, ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ RBI ପକ୍ଷରୁ ନିୟମ ଉଲ୍ଲଂଘନ ଓ ପରିଚାଳନାଗତ ତ୍ରୁଟି ପାଇଁ Paytm ପେମେଣ୍ଟସ୍ ବ୍ୟାଙ୍କକୁ ଚେତାବନୀ ଦିଆଯାଇଥିଲା ।

ତଥାପି ସ୍ଥିତିରେ ସୁଧାର ନ ହେବାରୁ ଏବେ ଏହି କଠୋର ପଦକ୍ଷେପ ନିଆଯାଇଛି ।RBI ମତାନୁସାରେ, ବ୍ୟାଙ୍କର କାର୍ଯ୍ୟପ୍ରଣାଳୀ ଗ୍ରାହକ ଓ ବ୍ୟାଙ୍କ ଦୁହେଁ ପାଇଁ କ୍ଷତିକାରକ ଥିଲା । ସେହିପରି ଲାଇସେନ୍ସ ପ୍ରଦାନ ସମୟରେ ଲାଗୁ ହୋଇଥିବା ସର୍ତ୍ତାବଳୀକୁ ମଧ୍ୟ ପୂରଣ କରିପାରିନଥିଲା ବୋଲି ଆରୋପ ରହିଛି ।ଏହି ପରିସ୍ଥିତିରେ RBI ଏବେ ଆଇନଗତ ପ୍ରକ୍ରିୟା ଆରମ୍ଭ କରି ବ୍ୟାଙ୍କକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *