ନ୍ୟୁଜ ଡେକ୍ସ : ସାରା ରାଜ୍ୟରେ ଏବେ ଆକାଶରୁ ନିଆଁ ବର୍ଷୁଥିବା ପରି ପରିସ୍ଥିତି ଦେଖାଦେଇଛି । ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ କଲବଲ କରାଉଛି । ବିଶେଷ କରି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ତାତି ଅସହ୍ୟ ହୋଇଯାଉଛି ଓ ଘରୁ ବାହାରିବା କଷ୍ଟକର ହେଉଛି । ପ୍ରଚଣ୍ଡ ଗ୍ରୀଷ୍ମ ତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।ଉତ୍ତର ଓ ପଶ୍ଚିମ ଭାରତ ଭଳି ଓଡିଶାରେ ମଧ୍ୟ ଗ୍ରୀଷ୍ମର ତଣ୍ଡବ ଜାରି ରହିଛି ।
ଗତକାଲି ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ପାରଦ ୪୪.୮ ଡିଗ୍ରୀ ସେଲସିୟସ୍କୁ ପହଞ୍ଚିଥିଲା । ଏହା ସହ ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି ।ଟିଟିଲାଗଡ଼ରେ ୪୪ ଡିଗ୍ରୀ, ସମ୍ବଲପୁରରେ ୪୩.୬, ହୀରାକୁଦରେ ୪୩.୪, ଅନୁଗୁଳରେ ୪୩.୧ ଓ ବଲାଙ୍ଗିରରେ ୪୩ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ସୁନ୍ଦରଗଡ଼, ତାଳଚେର, ଭବାନୀପାଟଣା, ସୋନପୁର, ପାରଳାଖେମୁଣ୍ଡି ଓ ନୂଆପଡ଼ାରେ ମଧ୍ୟ ତାପମାତ୍ରା ୪୨ରୁ ୪୩ ଡିଗ୍ରୀ ମଧ୍ୟରେ ରହିଥିଲା ।
ଦେଶର ସର୍ବାଧିକ ତାପମାତ୍ରା ଉତ୍ତରପ୍ରଦେଶର ପ୍ରୟାଗରାଜରେ ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ତାହାର ପଛକୁ ଦ୍ୱିତୀୟ ସ୍ଥାନରେ ଥିଲା ଝାରସୁଗୁଡ଼ା ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବା ଦୁର୍ଲଭ । ତେବେ ଏହାପରେ କିଛି ଜିଲ୍ଲାରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି କୁହାଯାଇଛି । ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।ଏହି ପରିସ୍ଥିତିରେ ଲୋକମାନଙ୍କୁ ଅତ୍ୟାବଶ୍ୟକ ନହେଲେ ଦିନ ବେଳେ ଘରୁ ବାହାରିବାକୁ ବିରତ ରହିବା ସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

