ନ୍ୟୁଜ ଡେକ୍ସ : ବଲାଙ୍ଗୀରରେ ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବମୂର୍ଚ୍ଛନାରେ ପାଳନ ହୋଇଥିବାବେଳେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ଏଣିକି ବଲାଙ୍ଗୀରରେ ଚିନି କଳ ଓ ଟେକ୍ସଟାଇଲ୍ ପାର୍କ ସ୍ଥାପନ ହେବ ବୋଲି ସେ ଘୋଷଣା କରିଥିଲେ ।କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୫୮୦ କୋଟି ଟଙ୍କା ମୂଲ୍ୟର ୩୦୪ଟି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ।
ଏଥିମଧ୍ୟରୁ ୩୨୯ କୋଟି ଟଙ୍କାର ୨୬୮ଟି ପ୍ରକଳ୍ପର ଲୋକାର୍ପଣ ଓ ୨୫୨ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ଭୀମଭୋଇ ମେଡିକାଲ କଲେଜରେ ଏକ ନୂତନ ନର୍ସିଂ କଲେଜ ସ୍ଥାପନ ପାଇଁ ମଧ୍ୟ ଶିଳାନ୍ୟାସ ହୋଇଥିଲା ।ଏହି ଅବସରରେ ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାରରୁ ଅଧିକ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ପ୍ରଥମ କିସ୍ତି ରାଶି ପ୍ରଦାନର ଆରମ୍ଭ ହୋଇଥିଲା । ସେହିପରି ପଞ୍ଚାୟତିରାଜ ସମୀକ୍ଷା ପୋର୍ଟାଲ୍ ଓ ଇ-ପଞ୍ଚାୟତ ସଭା ପୋର୍ଟାଲ୍ ମଧ୍ୟ ଉନ୍ମୋଚନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ କେବଳ ଯୋଜନା କାର୍ଯ୍ୟକାରୀ କରିବାରେ ସୀମିତ ନୁହେଁ, ବରଂ ସାମାଜିକ ଓ ଅର୍ଥନୈତିକ ବିକାଶ, ମୌଳିକ ସେବା, ମାନବ କଲ୍ୟାଣ ଏବଂ ପ୍ରାକୃତିକ ସମ୍ବଳ ପରିଚାଳନାରେ ଅଗ୍ରଣୀ ଭୂମିକା ନିଅଉଛନ୍ତି ।
ସେ ଆହୁରି କହିଥିଲେ ଯେ, ଜାତୀୟ ପଞ୍ଚାୟତିରାଜ ଦିବସ କେବଳ ଏକ ଉତ୍ସବ ନୁହେଁ, ଏହା ଗ୍ରାମାଞ୍ଚଳ ସ୍ୱ-ଶାସନ ଓ ଲୋକତନ୍ତ୍ରର ମୌଳିକ ଶକ୍ତିକୁ ସୁଦୃଢ କରିବାର ଦିବସ । ୭୩ତମ ସମ୍ବିଧାନ ସଂଶୋଧନ ପରେ ପଞ୍ଚାୟତିରାଜ ବ୍ୟବସ୍ଥା ଆହୁରି ସୁଦୃଢ ହୋଇଛି ଓ ଲୋକଙ୍କ ସକ୍ରିୟ ଭାଗିଦାରୀ ଏହାକୁ ଆହୁରି ଗତିଶୀଳ କରିପାରିବ ।ଗ୍ରାମାଞ୍ଚଳରେ ଜଳ, ଜମି, ଜଙ୍ଗଲର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ମହିଳା ସଶକ୍ତିକରଣକୁ ସରକାର ପ୍ରାଥମିକତା ଦେଇ କାମ କରୁଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଜାତୀୟ ପଞ୍ଚାୟତ ପୁରସ୍କାର ମାଧ୍ୟମରେ ପଞ୍ଚାୟତମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବୃଦ୍ଧି ପାଇଥିବା ସହ ଓଡିଶାର ଅନେକ ପଞ୍ଚାୟତ ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଥିବାକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

