Sat. Apr 25th, 2026

ନ୍ୟୁଜ ଡେକ୍ସ : ଇରାନର ଚାବାହାର ବନ୍ଦରକୁ କେନ୍ଦ୍ର କରି ଭାରତ ସରକାର ବର୍ତ୍ତମାନ ଏକ ବଡ଼ କୂଟନୈତିକ ଚାଲେଞ୍ଜର ସମ୍ମୁଖୀନ ହୋଇଛି । ବିଭିନ୍ନ ରିପୋର୍ଟ ଅନୁଯାୟୀ, ଆଗାମୀ ଦିନରେ ଆମେରିକାର ପ୍ରତିବନ୍ଧକ ଛାଡ଼ ଶେଷ ହେବା ପୂର୍ବରୁ ଭାରତ ଏହି ବନ୍ଦରରେ ନିଜର ଅଂଶଧନ ସମ୍ପର୍କରେ ଅନେକ ବିକଳ୍ପ ଉପରେ ବିଚାର କରୁଛି ।ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଭାରତ ସମ୍ପୂର୍ଣ୍ଣ ଭାବେ ଚାବାହାର ବନ୍ଦରରୁ ଓହରିଯିବାକୁ ଯୋଜନା କରୁନାହିଁ ।

ବରଂ ଏକ ରଣନୈତିକ ପଦକ୍ଷେପ ଭାବରେ ଅସ୍ଥାୟୀ ଭାବେ ନିଜର ଅଂଶଧନ ପରିତ୍ୟାଗ କରିବା କିମ୍ବା ଇରାନୀ କମ୍ପାନୀମାନଙ୍କୁ ହସ୍ତାନ୍ତର କରିବା ପାଇଁ ଚିନ୍ତା କରୁଛି । ପ୍ରତିବନ୍ଧକର ମିଆଦ ଶେଷ ହେବା ପରେ ପୁଣିଥରେ ନିୟନ୍ତ୍ରଣ ଫେରିପାଇବା ଉଦ୍ଦେଶ୍ୟରେ ଏହାକୁ ଏକ ବୈଷୟିକ ସମାଧାନ ଭାବେ ଦେଖାଯାଉଛି ।ଉଲ୍ଲେଖ୍ୟ ଯେ, ଭାରତ ଚାବାହାର ବନ୍ଦରରେ ପ୍ରାୟ ୧୨୦ ନିୟୁତ ଡଲାର ନିବେଶ କରିଛି । ସେହିପରି, ଏହି ପ୍ରକଳ୍ପକୁ ପରିତ୍ୟାଗ କରିବାକୁ ଭାରତ ଇଚ୍ଛୁକ ନୁହେଁ । ବର୍ତ୍ତମାନ ଦିଲ୍ଲୀ ଏହାର ଭବିଷ୍ୟତ ସମ୍ପର୍କରେ ଆମେରିକା ଓ ଇରାନ ସହିତ ପୃଥକ ଭାବେ ଆଲୋଚନା ଜାରି ରଖିଛି । ଚାବାହାର ବନ୍ଦର ଭାରତ ପାଇଁ ରଣନୈତିକ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନକୁ ବାଇପାସ କରି ଏହା ଆଫଗାନିସ୍ତାନ ଓ ମଧ୍ୟ ଏସିଆକୁ ଭାରତର ବାଣିଜ୍ୟିକ ପ୍ରବେଶ ଦ୍ୱାର ଭାବେ କାମ କରେ ।

ସେହିସହିତ ହରମୁଜ୍ ପ୍ରଣାଳୀ ଉପରେ ନଜର ରଖିବା ଏବଂ ପାକିସ୍ତାନର ଗ୍ୱାଦର ବନ୍ଦରରେ ଚୀନର ବୃଦ୍ଧିଶୀଳ ପ୍ରଭାବକୁ ମୁକାବିଲା କରିବାରେ ଏହା ଭାରତ ପାଇଁ ଗୁରୁତ୍ୱ ରଖେ ।ଭବିଷ୍ୟତରେ ଆଞ୍ଚଳିକ ସଂଯୋଗୀକରଣକୁ ଆହୁରି ମଜବୁତ କରିବା ପାଇଁ ଚାବାହାର ସହ ରେଳ ସଂଯୋଗ ନିର୍ମାଣ କରିବା ଭାରତର ଯୋଜନାରେ ରହିଛି । ତେବେ ୱାଶିଂଟନର କଠୋର ପ୍ରତିବନ୍ଧକ ଓ ନିଜ ରଣନୈତିକ ସ୍ୱାର୍ଥ ମଧ୍ୟରେ ସନ୍ତୁଳନ ରଖିବା ଏବେ ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି ।

Leave a Reply

Your email address will not be published. Required fields are marked *