ନ୍ୟୁଜ ଡେକ୍ସ : ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ ଡିହିରାକୁଳ ଗାଁରେ ଘଟିଥିବା ଏକ ଅଦ୍ଭୁତ ଓ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କ ମନକୁ ଛୁଇଁଯାଇଛି । ବିଷାକ୍ତ ନାଗ ସାପର କବଳରୁ ୩୦ ଜଣ କୋମଳମତି ଶିଶୁଙ୍କ ଜୀବନ ବଞ୍ଚାଇ ଦେଇ କୁକୁର ‘କାଳି’ ନିଜ ପ୍ରାଣ ହାରାଇଛି ।ସୂଚନା ଅନୁସାରେ, ଡିହିରାକୁଳର ଜଗନ୍ନାଥ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ ପଢୁଥିବା ସମୟରେ ଏକ ବିଷାକ୍ତ ନାଗ ସାପ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା ।
ଏହି ସମୟରେ କୁକୁର ‘କାଳି’ ସାପଟିକୁ ଅଟକାଇ ତା’ ସହିତ ଭୟଙ୍କର ଲଢ଼େଇ କରିଥିଲା । ତାହାର ସାହସିକ ପ୍ରତିରୋଧରେ ସାପଟି ଶିଶୁମାନଙ୍କ ପାଖକୁ ପହଞ୍ଚିପାରିନଥିଲା ।ଶେଷରେ କାଳି ସାପଟିକୁ ମାରିଦେଲେ ମଧ୍ୟ ଲଢ଼େଇ ସମୟରେ ନିଜେ ଗୁରୁତର ଆହତ ହୋଇ ପ୍ରାଣ ହାରାଇଥିଲା । ଏହା ଫଳରେ ସେ ଶିଶୁମାନଙ୍କ ପାଇଁ ଏକ ସତ୍ୟ ସୁରକ୍ଷା କବଚ ହୋଇ ଉଭୁ ହୋଇଥିଲା ।
ଡିହିରାକୁଳ ଗାଁର ଲୋକଙ୍କ ପାଇଁ ‘କାଳି’ କେବଳ ଏକ ସାଧାରଣ କୁକୁର ନୁହେଁ, ବରଂ ସେହି ୩୦ଟି ପରିବାର ପାଇଁ ଏକ ଦେବଦୂତ ଭାବେ ପରିଣତ ହୋଇଛି । ଗାଁବାସୀମାନେ ଗଭୀର ଶୋକରେ ଡୁବିଥିବା ବେଳେ ଗତକାଲି କାଳିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏହି ଘଟଣା ପୁଣିଥରେ ପ୍ରମାଣ କରିଦେଇଛି ଯେ ସ୍ନେହ ଓ ଶ୍ରଦ୍ଧା ପାଇଲେ ପଶୁମାନେ ମଧ୍ୟ ମଣିଷଙ୍କ ପାଇଁ ଜୀବନ ଦାଉରେ ଲଗାଇ ଦେବାକୁ ପଛାଉ ନାହାନ୍ତି ।

