Mon. Apr 27th, 2026

ନ୍ୟୁଜ ଡେକ୍ସ :ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱିସ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ପୂର୍ବରୁ ଇଞ୍ଜିନରେ ନିଆଁ ଲାଗିଯିବା ଘଟଣାରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନଟି ସୁଇଜରଲ୍ୟାଣ୍ଡର ଜୁରିକ୍ ଅଭିମୁଖେ ଯିବାକୁ ଥିଲା।ସୂଚନା ଅନୁଯାୟୀ, ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏୟାର ଲାଇନ୍ସର LX147 ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତି ନେଉଥିବାବେଳେ ହଠାତ୍ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।

ଏହାର ପରିଣତିରେ ବିମାନର ଇଞ୍ଜିନରେ ନିଆଁ ଲାଗିଥିଲା। ତେବେ ପାଇଲଟଙ୍କ ତୁରନ୍ତ ସଚେତନତା ଓ ଉପସ୍ଥିତ ବୁଦ୍ଧି ଫଳରେ ଉଡ଼ାଣକୁ ବାତିଲ କରାଯାଇଥିଲା, ଯାହା ଫଳରେ ବଡ଼ ଅପମୃତ୍ୟୁ ଟଳିଯାଇଛି।ଘଟଣା ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। କିଛି ଯାତ୍ରୀଙ୍କୁ ସିଡ଼ି ମାଧ୍ୟମରେ ମଧ୍ୟ ବିମାନରୁ ନିଷ୍କାସନ କରାଯାଇଥିଲା। ବିମାନରେ ମୋଟ ୨୨୮ ଜଣ ଯାତ୍ରୀ ଓ ୪ ଜଣ ପିଲା ଥିବା ସୂଚନା ମିଳିଛି। ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।

ଏହି ଅଘଟଣା ପରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଘଟଣାର ସବିଶେଷ ତଦନ୍ତ କରାଯିବ ବୋଲି ସ୍ୱିସ୍ ଏୟାରଲାଇନ୍ସ ସୂଚନା ଦେଇଛି। ଯାତ୍ରୀଙ୍କ ସୁରକ୍ଷାକୁ ସର୍ବପ୍ରଥମ ପ୍ରାଥମିକତା ଦିଆଯାଇବା ସହ ଏହା ପାଇଁ ଏକ ବିଶେଷ ଟାସ୍କ ଫୋର୍ସ ଗଠନ କରାଯାଇଛି।ଏହା ସହିତ ବିମାନବନ୍ଦରରେ ଅଟକିଥିବା ଯାତ୍ରୀମାନଙ୍କୁ ହୋଟେଲ ରହଣି, ଖାଦ୍ୟ ବ୍ୟବସ୍ଥା ଓ ବିକଳ୍ପ ବିମାନ ମାଧ୍ୟମରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ସ୍ଥାନୀୟ ଟିମ୍ ସହଯୋଗ କରୁଛି। ଏହି ଘଟଣା ପରେ ବିମାନ ସୁରକ୍ଷା ନିୟମ ଓ ଯାନ୍ତ୍ରିକ ପରୀକ୍ଷା ପ୍ରତି ଆଉଥରେ ଗୁରୁତ୍ୱ ଦିଆଯାଉଛି।

Leave a Reply

Your email address will not be published. Required fields are marked *