ନ୍ୟୁଜ ଡେକ୍ସ : ରାଜ୍ୟରେ ଆଜିଠୁ ପାଗରେ ବଡ ପରିବର୍ତ୍ତନ ଦେଖାଯିବାର ସଙ୍କେତ ମିଳିଛି। ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ଉତ୍ତର ଓଡିଶାର ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ।
ଏହା ସତ୍ୱେ ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପଶ୍ଚିମ ଓଡ଼ିଶାରେ କିଛି ଦିନ ହେବ ଅତ୍ୟଧିକ ତାପମାତ୍ରାରେ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉର୍ଦ୍ଧ୍ୱକୁ ପହଞ୍ଚିଛି। ରବିବାର ଝାରସୁଗୁଡ଼ାରେ ସର୍ବାଧିକ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିପରି ୬ଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ଅତିକ୍ରମ କରିଛି।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଶ୍ଚିମାଞ୍ଚଳବାସୀ ଦୁର୍ବିସହ ପରିସ୍ଥିତିରେ ଅଛନ୍ତି।
ତେବେ ସକାଳୁ ଉପକୂଳ ଜିଲ୍ଲାଗୁଡ଼ିକରେ ଆକାଶରେ ମେଘଖଣ୍ଡ ଦେଖାଯାଇଥିବାରୁ ଆବହାଓୟାରେ କିଛି ପରିବର୍ତ୍ତନର ଆଭାସ ମିଳିଛି। ଭୁବନେଶ୍ୱର, କଟକ, ପୁରୀ ଓ ବାଲେଶ୍ୱର ଆଦି ଅଞ୍ଚଳରେ ଦିନ ତାପମାତ୍ରା ୩୫ ଡିଗ୍ରୀକୁ ଖସିଛି।ବିଭାଗର ଅନୁମାନ ଅନୁଯାୟୀ, ଚଳିତ ମାସ ୩୦ ତାରିଖ ସୁଦ୍ଧା ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା କମିବା ସମ୍ଭାବନା ରହିଛି। କିଛି ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ତଳକୁ ଖସିପାରେ ବୋଲି ପୂର୍ବାନୁମାନ କରାଯାଇଛି।

