Wed. Jun 17th, 2026

ନ୍ୟୁଜ ଡେକ୍ସ :ରାଜ୍ୟସଭା ନିର୍ବାଚନରେ କ୍ରସ୍‌ଭୋଟିଂ ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗକୁ ନେଇ ନିଲମ୍ବିତ ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ ଦାବି ଉଠିବ। ସୋମବାର ଦିନ ବିଜେଡି ବିଧାୟକମାନେ ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ଏହି ଦାବି ଉଠାଇବେ ବୋଲି ସୂଚନା ମିଳିଛି।

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜାନୁଆରୀ ୧୫ ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲେ। ସେହିପରି ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିଷ୍ପତ୍ତିକୁ ଅବମାନନା କରି କ୍ରସ୍‌ଭୋଟିଂ କରିଥିବା ଅଭିଯୋଗରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ୱାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତାଲ ବିଧାୟକ ରମାକାନ୍ତ ଭୋଇ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏବଂ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରାଯାଇଛି।

ଏହି ପ୍ରସଙ୍ଗରେ ସୋମବାର ସକାଳ ୧୧ଟାରେ ବିଜେଡି ବିଧାୟକମାନେ ଶଙ୍ଖ ଭବନରେ ଏକାଠି ହେବେ। ପରେ ୧୧ଟା ୩୦ରେ ସେମାନେ ଶଙ୍ଖ ଭବନରୁ ବିଧାନସଭା ଅଭିମୁଖେ ଯିବେ। ମଧ୍ୟାହ୍ନ ୧୨ଟାରେ ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ଆନୁଷ୍ଠାନିକ ଦାବି ଜଣାଇବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।ଏହି ପଦକ୍ଷେପ ରାଜ୍ୟର ରାଜନୀତିରେ ଆଗାମୀ ଦିନରେ ଆଲୋଚନାର ବିଷୟ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *