ନ୍ୟୁଜ ଡେକ୍ସ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକରେ ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଶିକ୍ଷକଙ୍କର ପରଲୋକ ଘଟିଛି। ମୃତକ ରାଜ କୁମାର ହେମ୍ବ୍ରମ (୫୦) ପୁରିନ୍ଦା ଗାଁସ୍ଥିତ କଖାରୁଆ ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ସହକାରୀ କଳା ଶିକ୍ଷକ ଥିଲେ।ସୂଚନା ଅନୁସାରେ, ସେ ଜନଗଣନା କାର୍ଯ୍ୟରେ ନିୟୋଜିତ ହୋଇ ଘରେଘରେ ଗଣନା କାମ କରୁଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ଦୁଇ ଦିନ ଛୁଟି ନେଇ ଚିକିତ୍ସାଧୀନ ଥିଲେ।
ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା।ଗତକାଲି ସନ୍ଧ୍ୟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରାଜ କୁମାର ହେମ୍ବ୍ରମଙ୍କ ଘର ବାଙ୍ଗିରିପୋଷି ଅଞ୍ଚଳରେ ଥିବାବେଳେ ସେ ବାରିପଦାରେ ବସବାସ କରୁଥିଲେ।ସେ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଥିଲେ ଏବଂ ୨୦୨୪ ଅଗଷ୍ଟ ୨୦ ତାରିଖରେ ପୁରିନ୍ଦାସ୍ଥିତ କେବି ହାଇସ୍କୁଲରେ ଯୋଗଦେଇଥିଲେ।
ଜନଗଣନା ପ୍ରକ୍ରିୟା ଆରମ୍ଭ ହେବା ପରେ ସେ ଗାଁରୁ ଗାଁ ବୁଲି ଘର ଗଣନା କାମ କରୁଥିଲେ। ତାଙ୍କ ପୁତୁରା ଲକ୍ଷ୍ମୀକାନ୍ତ ହେମ୍ବ୍ରମଙ୍କ କହିବା ଅନୁଯାୟୀ, କେତେକ ସ୍ଥାନରେ ଲୋକଙ୍କ ଅସହଯୋଗ ଓ କାର୍ଯ୍ୟର ଚାପରୁ ସେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ, ଯାହାର ପରିଣତିରେ ସେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି। ତାଙ୍କର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ପଡ଼ିଛି।

