Tue. Apr 28th, 2026

ନ୍ୟୁଜ ଡେକ୍ସ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ରାଜ୍ୟର ଶକ୍ତି ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳ ଉଚ୍ଚବାଲିରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ୍ ସବଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ଭାବେ ଗଢ଼ିତୋଳିବାକୁ ଘୋଷଣା କରିଥିଲେ। ସେ ଉଚ୍ଚବାଲି ସବଷ୍ଟେସନ ସହ ଅନ୍ୟ ୫ଟି ନୂଆ ଟ୍ରାନ୍ସମିଶନ ଲାଇନର ଉଦଘାଟନ କରିଥିବା ସୂଚନା ମିଳିଛି। ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଏକ ବିକଶିତ ସମାଜର ପରିଚୟ। ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝରକୁ ସୁନାର କେନ୍ଦୁଝରରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଛନ୍ତି।ପ୍ରକଳ୍ପର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, ୪୦୦ କେଭି LILO ଲାଇନ ସହ TTPS-ଯୋଡ଼ା ଓ ତୁରୁମୁଙ୍ଗା-ରାଇରଙ୍ଗପୁର ଲାଇନ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ସୁଦୃଢ଼ ବିଦ୍ୟୁତ୍ ନେଟୱର୍କରେ ଯୋଡ଼ାଯିବ।

ଏହା ଶିଳ୍ପ ଓ ଘରୋଇ ଚାହିଦା ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ। ବିଦ୍ୟୁତ୍ ବିଭ୍ରାଟ ରୋକିବା ପାଇଁ ‘ହଟଲାଇନ ମେଣ୍ଟେନାନ୍ସ’ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହା ଦ୍ୱାରା ବିଦ୍ୟୁତ୍ ସଂଯୋଗ ବନ୍ଦ ନକରି ମଧ୍ୟ ତାର ମରାମତି କାମ ସମ୍ଭବ ହେବ। ସେହିପରି ବଡ଼ବିଲ ଓ ପଲାଶପଙ୍ଗା ଗ୍ରୀଡ୍‌ର ଉନ୍ନତିକରଣକୁ ସରକାର ପ୍ରାଥମିକତା ଦେଉଛନ୍ତି।ଡିଜିଟାଲାଇଜେସନ ଦିଗରେ ରାଜ୍ୟକୁ ଆଗେଇ ନେବା ପାଇଁ ମଞ୍ଚେଶ୍ୱରରେ ନୂତନ ଷ୍ଟେଟ୍ ଲୋଡ୍ ଡିସପାଚ୍ ସେଣ୍ଟର (SLDC) ସ୍ଥାପିତ ହୋଇଛି, ଯାହା ବିଦ୍ୟୁତ୍ ପରିଚାଳନାରେ ମୁଖ୍ୟ ଭୂମିକା ନିଭାଇବ। STAMS ପ୍ରକଳ୍ପ ମାଧ୍ୟମରେ ୭୦ଟି ଗ୍ରୀଡ୍‌କୁ ରିମୋଟ୍ ଭାବେ ପରିଚାଳନା କରାଯିବ ଏବଂ ତ୍ରୁଟିଗୁଡ଼ିକୁ ତୁରନ୍ତ ସମାଧାନ କରାଯିବ।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୦୦ ମସିହାରେ ରାଜ୍ୟରେ ୧୬ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଥିଲେ, ବର୍ତ୍ତମାନ ଏହା ୧ କୋଟିକୁ ଅତିକ୍ରମ କରିଛି।

ଏହି ଚାହିଦାକୁ ମଧ୍ୟନଜରରେ ରଖି ୨୦୩୬ ସୁଦ୍ଧା ଆହୁରି ୩୪ଟି ନୂଆ ଗ୍ରୀଡ୍ ସବଷ୍ଟେସନ ସ୍ଥାପନ କରାଯିବାର ଯୋଜନା ରହିଛି। ଭୁବନେଶ୍ୱର, ଯାଜପୁର, ଝାରସୁଗୁଡ଼ା ଓ ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ୭୬୫ କେଭି ଗ୍ରୀଡ୍ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏହି ଅତ୍ୟାଧୁନିକ ପ୍ରକଳ୍ପ ଓ ପଦକ୍ଷେପଗୁଡ଼ିକ କେନ୍ଦୁଝରର ଶିଳ୍ପ ଉନ୍ନତିକୁ ଗତି ଦେବା ସହିତ ରାଜ୍ୟର ବିଦ୍ୟୁତ୍ ପରିବହନ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ ଓ ଆଧୁନିକ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *